ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶିତ ହୋଇଛି ‘ଇଣ୍ଡିଆନ୍ ଜଷ୍ଟିସ୍ ରିପୋର୍ଟ ୨୦୨୨’ ତୃତୀୟ ସଂସ୍କରଣର ରିପୋର୍ଟ । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ୫୩% ମାମଲା ବାକି ରହିଥିବା କଥା ରିପୋର୍ଟରୁ ଜଣାପଡ଼ିଛି। ସେହିପରି, ଗତ ୫ରୁ ୧୦ ବର୍ଷ ମଧ୍ୟରେ ୨୫%, ୧୦ରୁ ୨୦ ବର୍ଷ ମଧ୍ୟରେ ୧୭% ଏବଂ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ୪% ମାମଲା ହାଇକୋର୍ଟରେ ଗଡ଼ି ଚାଲିଥିବା କଥା ମଧ୍ୟ ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ହାଛଡ଼ା, ହାଇକୋର୍ଟରେ ୩୩% ବିଚାରପତି ଓ ୨୮% କର୍ମଚାରୀ ପଦବୀ ଖାଲିପଡ଼ିଛି, ଏବଂ ଅତିରିକ୍ତ ଅଦାଲତଗୁଡ଼ିକରେ ୨୦% ବିଚାପତି ପଦବୀ ଖାଲି ପଡ଼ିଛି ‘ଇଣ୍ଡିଆନ୍ ଜଷ୍ଟିସ୍ ରିପୋର୍ଟ ୨୦୨୨’ରେ ଉଲ୍ଲେଖ ଅଛି। ଏହାଛଡ଼ା, ନ୍ୟାୟିକ ସହାୟତା କ୍ଷେତ୍ରରେ ଉପରୋକ୍ତ ବର୍ଷରେ ଓଡ଼ିଶାର ବଜେଟ୍ ୮୮% ରହିଛି। ନ୍ୟାୟ ପ୍ରଦାନର ‘ଚାରି ସ୍ତମ୍ଭ’ ଯଥା- ପୁଲିସ, ବିଚାରବ୍ୟବସ୍ଥା, କାରାଗାର ଏବଂ ନ୍ୟାୟିକ ସହାୟତାର ତଥ୍ୟାବଳି ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଇଥାଏ। ଏହି ୪ଟି ସ୍ତମ୍ଭକୁ ବଜେଟ୍, ମାନବ ସମ୍ବଳ, କାର୍ଯ୍ୟର ପରିମାଣ, ବିବିଧତା, ଭିତ୍ତିଭୂମି ଅନୁସାରେ ବିଶ୍ଳେଷଣ କରାଯାଇଥାଏ। ସେହିପରି ଓଡ଼ିଶା ପୁଲିସ ବିଭାଗରେ କନେଷ୍ଟବଳସ୍ତରରେ ୧୩%, ଅଫିସର୍ସ୍ତରରେ ୨୮% ପଦବୀ ଖାଲି ପଡ଼ିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ସେପଟେ ଦେଶରେ ଯେତିକି ପରିମାଣରେ ହାଇକୋର୍ଟରେ ମାମଲା ଚାଲିଛି ସେହି ପରିମାଣରେ ବିଚାରପତି ନାହାଁନ୍ତି। ଯାହା ଫଳରେ କୋର୍ଟମାନଙ୍କରେ ଲକ୍ଷାଧିକ ମାମଲା ପଡ଼ିରହିଛି। ବିଗତ ୧୦ ବର୍ଷ ଭିତରେ କେବଳ ହାଇକୋର୍ଟମାନଙ୍କରେ ୬ଲକ୍ଷରୁ ଅଧିକ ମାମଲା ପଡ଼ିରହିଥିବା ଏକ ବିଶେଷ ତଥ୍ୟରୁ ଜଣାପଡ଼ିଛି। ହାଇକୋର୍ଟମାନଙ୍କରେ ପଡ଼ି ରହିଥିବା ମାମଲାରେ ବମ୍ବେ ହାଇକୋର୍ଟ ଶୀର୍ଷରେ ରହିଛି। ଏଠାରେ ଏକ ଲକ୍ଷରୁ ଅଧିକ ମାମଲା ପଡ଼ିରହିଛି। ବର୍ଷ ୨୦୧୬ ଶେଷ ସୁଦ୍ଧା ଦେଶରେ ଥିବା ୨୪ଟି ହାଇକୋର୍ଟରେ ୪୦.୧୫ଲକ୍ଷ ମାମଲା ଚାଲିଥିଲା। ସେଥିରୁ ୧୯.୪୫ ପ୍ରତିଶତ ମାମଲା ୧୦ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ହୋଇ ସାରିଛି। ଡିସେମ୍ବର ୭ରେ ମିଳିଥିବା ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ ତଥ୍ୟ ଅନୁସାରେ ୨୦ଟି ହାଇକୋର୍ଟରେ ୫,୯୭,୬୫୦ ମାମଲା ଚାଲିଥିଲା। ୨୪ଟି ହାଇକୋର୍ଟରେ ଚାଲିଥିବା ମାମଲାର ରେକର୍ଡ ମିଳିଥିବା ବେଳେ ଆହ୍ଲାବାଦ ହାଇକୋର୍ଟରେ କେତେ ମାମଲା ପଡ଼ିରହିଛି, ସେ ବିଷୟରେ ରିପୋର୍ଟ ହସ୍ତଗତ ହୋଇନାହିଁ। ବମ୍ବେ ହାଇକୋର୍ଟରେ ୧,୨୯,୦୬୩ଟି ମାମଲା ବିଚାରଧିନ ଥିବା ବେଳେ ଏଥିରେ ୯୬,୫୯୬ ଦେଓ୍ଵାନୀ, ୧୨,୮୪୬ ଫୌଜଦାରୀ ଓ ୧୯,୬୨୧ ପୁନଃ ଆବେଦନ ହୋଇଛି। ତାଲିକାର ୨ୟ ସ୍ଥାନରେ ରହିଛି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ବିଗତ ୧୦ ବର୍ଷ ମଧ୍ୟରେ ଏଠାରେ ୯୯,୬୨୫ ମାମଲା ବିଚାରାଧିନ ରହିଛି। ଏଥିରେ ୬୪,୯୬୭ ଦେଓ୍ଵାନୀ, ୧୩,୩୨୪ ଫୌଜଦାରୀ ଓ ୨୧,୩୩୪ ରିଟ୍ ପିଟିସନ୍ ସାମିଲ ରହିଛି। କୋଲକାତା ହାଇକୋର୍ଟରେ ୭୪,୩୧୫ ମାମଲା ପଡ଼ିରହିଛି। ଏଥିରେ ୪୦,୫୨୯ ଦେଓ୍ଵାନୀ, ୧୪,୮୯୮ ଫୌଜଦାରୀ ଓ ୧୮୮୮ ରିଟ୍ ପିଟିସନ୍ ରହିଛି।