ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାର ଜଣାଶୁଣା ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରକୁ ସିବିଆଇ ଗିରଫ କରିଛି । ପାରାଦ୍ୱୀପ ବନ୍ଦର କାର୍ଗୋ ଅପରେଟ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି । ଗତ କିଛଦିନ ହେଲା ସିବିଆଇ ଚର୍ଚ୍ଚିତଙ୍କୁ ଡାକି ଜେରା କରୁଥିଲା । ଶନିବାର ସକାଳେ ଜେରା କରିବାକୁ ଡାକି ସିବିଆଇ ତାଙ୍କୁ ଗିରଫ କରିଥିଲା ।
ପୂର୍ବରୁ ସିବିଆଇ ୪ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, କେଟିସି ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ ମିତ୍ର ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ୍ ସୂର୍ଯ୍ୟ ସାହୁ । ଏମାନଙ୍କ ମଧ୍ୟରୁ ସିବିଆଇ ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ ସୂର୍ଯ୍ୟ ସାହୁଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ଏମାନଙ୍କୁ ଘନଘନ ଜେରା କରାଯାଉଥିବା ବେଳେ ସିବିଆଇ ୬୦ ଲକ୍ଷ ଟଙ୍କାର ଗୁମର ଓଗାଳିବାକୁ ଚେଷ୍ଠା କରୁଛି ।
ସିବିଆଇର ସୂଚନା ଅନୁସାରେ, ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଅନେକ ସମୟରେ ପାରାଦୀପ ବନ୍ଦରରେ ନିୟୋଜିତ ଥିବା ବିଭିନ୍ନ ଘରୋଇ କମ୍ପାନୀଙ୍କୁ ଅହେତୁକ ଅନୁକଂପା ଦେଖାଉଥିଲେ । ସେମାନଙ୍କ ସହ ଘନିଷ୍ଠ ମଧ୍ୟସ୍ଥିଙ୍କ ଜରିଆରେ ଅଭ୍ୟାସଗତ ଭାବେ ଲାଞ୍ଚ ଗ୍ରହଣ କରି ଆସୁଥିଲେ । ଏହି ମଧ୍ୟସ୍ଥି ଜଣକ ପୋର୍ଟର ଅପରେସନ୍ ମ୍ୟାନେଜର ଓ ଘରୋଇ କମ୍ପାନୀ ସହ ଘନିଷ୍ଠତା ରହିଥିଲା ।
ନିକଟରେ କାର୍ଗୋ ଅପଲୋଡିଂ ବେଳେ କଟକର ଏହି ଘରୋଇ କମ୍ପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସଏଲ୍) ବନ୍ଦରର କନଭେୟର ବେଲଟ ପ୍ରତି କ୍ଷତି ପହଁଚାଇଥିଲା । ତେବେ ଏହାର ମରାମତି କିମ୍ବା ନୂଆ ଲଗାଇବା ବ୍ୟୟବହୁଳ ହୋଇଥିବାରୁ ଏଠାରେ ଅପରାଧିକ ଷଡ଼ଯନ୍ତ୍ର କରିଥିଲେ । ଚିଫ୍ ମେକାନିକାଲ ଇଞ୍ଜିନିୟର ମଧ୍ୟସ୍ଥିଙ୍କ ଜରିଆରେ ସଂପୃକ୍ତ କମ୍ପାନୀଠୁ ୬୦ ଲକ୍ଷ ଟଙ୍କାର ଲାଞ୍ଚ ପାଇଁ ଡିଲ୍ ଫାଇନାଲ କରି ପାରାଦୀପ ବନ୍ଦର ଅର୍ଥରେ କନଭେୟର ବେଲଟ୍ ମରାମତି କରିଥିଲେ । ଫଳରେ ସଂପୃକ୍ତ ଘରୋଇ କମ୍ପାନୀକୁ ବିପୁଳ ଆର୍ଥିକ ଫାଇଦା ମିଳିଥିଲା ।
୬୦ ଲକ୍ଷ ଲାଞ୍ଚ ଟଙ୍କାରୁ ମଧ୍ୟସ୍ଥି କଟକରୁ ୨୫ ଲକ୍ଷ ଟଙ୍କା ଗ୍ରହଣ କରିଥିଲା । ସେହିଭଳି ମଧ୍ୟସ୍ଥି ନିଜ ପାଖରେ ଆଉ ୧୦ ଲକ୍ଷ ଟଙ୍କା ରଖିବା ଅନ୍ୟ ୧୦ ଲକ୍ଷ ଟଙ୍କାରେ ସରୋଜ ନାଁରେ ଭୁବନେଶ୍ୱରରେ ଏକ ଫ୍ଲାଟ୍ ବୁକ୍ ହୋଇଥିବା ସିବିଆଇ ସୂଚନା ପାଇଛି । ଚଢାଉ ବେଳେ ସିବିଆଇକୁ ଓଏସଏଲ ଡିଜିଏମ ସୂର୍ଯ୍ୟନାରାୟଣଙ୍କ ଠାରୁ ୪୧ ଲକ୍ଷ ଟଙ୍କା ଜବତ ହୋଇଛି । ସେଭଳି ମଧ୍ୟସ୍ଥି ସୁମନ୍ତ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ସହ ଆଉ ୧୮ ଲକ୍ଷ ଲାଞ୍ଚ ଟଙ୍କା ବି ମିଳିଛି । ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ମୋଟ ୮୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଅନୁସନ୍ଧାନ ବେଳେ ସରୋଜଙ୍କଠାରୁ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଓ ନିବେଶ ସମ୍ପର୍କିତ କାଗଜପତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମିଳିଛି ।