ଓଡିଶା ସ୍ୱାଭିମାନ ଏବଂ ଓଡିଆ ଗୌରବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ? ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ନିକଟରୁ ମୁଖ୍ୟମନ୍ତ୍ରୀଙ୍କୁ ବୁଦ୍ଧିଜୀବୀଙ୍କ ଆହ୍ୱାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋଟିଏ ସୁସ୍ଥ ଓ ସଭ୍ୟ ସମାଜ ପାଇଁ ଶିକ୍ଷାର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।ସଠିକ ଶିକ୍ଷାଦାନ ଦ୍ୱାରା ସୁସ୍ଥ ଭବିଷ୍ୟତ ଗଢାଯାଇଥାଏ । ତେଣୁ ଶିକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ମୁଖ୍ୟଙ୍କର ଦାୟୀତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋମଳମତୀ ଛାତ୍ରଛାତ୍ରୀମାନେ ଶିକ୍ଷକ, ଅଭିଭାବକ ଓ ଗୁରୁଜନମାନଙ୍କୁ ନିଜ ଆଦର୍ଶ ମଣି ଶିକ୍ଷା ଗ୍ରହଣ କରନ୍ତି, ଯାହା ଆଗାମୀ ଦିନରେ ସୁନାଗରିକ ହୋଇ ସମାଜରେ ଛିଡା କରିବାରେ ସହାୟକ ହୋଇଥାଏ । ଯଦି ମର୍ଯ୍ୟାଦାପୂର୍ଣ୍ଣ ଶିକ୍ଷା ବିଭାଗର ଦାୟୀତ୍ୱରେ ଥିବା ମନ୍ତ୍ରୀ ନିଜ ଦଳର ନିର୍ବାଚିତ ପ୍ରତିନିଧିଙ୍କର ହତ୍ୟା ଘଟଣାରେ ଅଭିଯୁକ୍ତ ହେବେ, ତେବେ ସୁସ୍ଥ ସମାଜ ଗଠନ ହେବ କିପରି ବୋଲି ବିଜେପିର ବରିଷ୍ଠ ନେତା ତଥା ବୃଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ସର୍ଜନ ଶର୍ମା ପ୍ରଶ୍ନ କରିଛନ୍ତି?
ବହୁଚର୍ଚ୍ଚିତ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ପାରିବାରିକ ଅଶାନ୍ତି ଏବଂ ତାଙ୍କ ଆତ୍ମହତ୍ୟା ପାଇଁ ରାଜ୍ୟର ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦାଶ ଦାୟୀ ବୋଲି ମୃତ୍ୟୁ ପୂର୍ବରୁ ସ୍ୱର୍ଗତଃ ସାହୁ ନିଜେ କହିଛନ୍ତି । ଏ ସଂପର୍କରେ ସ୍ୱର୍ଗତଃ ସାହୁଙ୍କ ଏକ ଅଡିଓ ଭାଇରାଲ ମଧ୍ୟ ହୋଇଛି । କ୍ଷମତା ଓ ପୋଲିସର ଅପବ୍ୟବହାର କରି ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରାଯାଉଛି । ପୋଲିସ ହେପାଜତରେ ଥିବା ସତ୍ୱେ ସ୍ୱର୍ଗତଃ ସାହୁଙ୍କ ଜବତ ହୋଇଥିବା ମୋବାଇଲରୁ ଆପେ ଆପେ ପୋଷ୍ଟିଂ ଡିଲିଟ୍ ହୋଇଯିବା ତଦନ୍ତର ନିରପେକ୍ଷତାକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ଐତିହ୍ୟ, ଭାଷା, ସାହିତ୍ୟ ପାଇଁ ବିଶ୍ୱ ଦରବାରରେ ବଳିଷ୍ଠ ପରିଚୟ ସୃଷ୍ଟି କରି ଗୈାରବ ହାସଲ କରିଥିବା ସମଗ୍ର ଓଡିଆ ଜାତି ଆଜି ଭାରତ ତଥା ବିଶ୍ୱରେ ଲଜ୍ଜିତ ଓ ନିନ୍ଦିତ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଦୀର୍ଘ ୨୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଏବଂ ପୃଷ୍ଟପୋଷକତାରେ ବିଭିନ୍ନ ଅପରାଧ ସଙ୍ଗଠିତ ହେଉ ନାହିଁ କି ? ନିଜ ନିର୍ମଳ ଭାବମୂର୍ତି ପାଇଁ ସଚେତନ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି କାହିଁକି ? ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବୁଦ୍ଧିଜୀବୀମାନେ ଏଭଳି ଘଟଣାକୁ ନେଇ ଚିନ୍ତିତ ଥିବାବେଳେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନଥିବା ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ସମୀର ଦାଶଙ୍କୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବିଦା କରିବା ଉଚିତ୍ ବୋଲି ଶ୍ରୀ ଶର୍ମା କହିଛନ୍ତି ।
କର୍ମ ଓ ଭାବମୂର୍ତି ଗୋଟିଏ ସରକାର ଓ ସମାଜ ପାଇଁ ଗୌରବ କିମ୍ବା ନିନ୍ଦାର କାରଣ ହୋଇଥାଏ । ବିଗତ ଦିନରେ ଓଡ଼ିଶାର ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟ ଓ ଆଚରଣ ଜନସାଧାରଣରେ ନିନ୍ଦା ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଜେଡ଼ିର ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପୂର୍ବ ବୟାନ ତାଙ୍କର ଗଭୀର ସଂପୃକ୍ତିର ସୂଚନା ଦେଇଛି । ରାଜ୍ୟର ଭବିଷ୍ୟତ ନିର୍ମାଣରେ ଲାଗିଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ସେ କଣ ପ୍ରେରଣାଦାୟୀ ଓ ଅନୁକରଣୀୟ ହୋଇପାରିଛନ୍ତି କି? ତଦନ୍ତକାରୀ ସଂସ୍ଥାମାନଙ୍କ ନିରପେକ୍ଷ ତଦନ୍ତ ମଧ୍ୟ ବ୍ୟାହତ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଲୁଣ୍ଠିତ ଗୌରବକୁ ଫେରାଇ ଆଣିବା ପାଇଁ ଗଭର୍ଣ୍ଣର ହାଉସ ଛକ ନିକଟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ନିକଟରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଆଜି ଧାରଣା ଦେଇଛନ୍ତି । ଏହି ଧାରଣାରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଦର୍ଶନ ନାୟକ, ଅବସରପ୍ରାପ୍ତ ଶିକ୍ଷା ବିଭାଗ ନିର୍ଦ୍ଦେଶକ ତଥା ବିଜେପି ବାର୍ତା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କୃଷକ ମୋର୍ଚ୍ଚା ମିଡିଆ କୋଡିନେଟର ହିତେଶ ମହାପାତ୍ର, ଦୀପେନ୍ଦ୍ର ଝା, ଡ.ରାଧାନାଥ ପ୍ରହରାଜ, ଜୟପ୍ରକାଶ ମିଶ୍ର, କିଶୋର ଜେନା, ଅଜିତ୍ କୁମାର ଦାସ, ଉପେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.