ଦୁଇ ସପ୍ତାହ ପରେ ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା ହେଲା ସ୍ବାଭାବିକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା ସ୍ବାଭାବିକ ହୋଇଛି । ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। ଏହାଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ମୋବାଇଲ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ବୋଲି କହିଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ସେ କହିଥିଲେ, ସନ୍ଧ୍ୟା ୬ଟାରେ ମୋବାଇଲରେ ଇଣ୍ଟରନେଟ୍ ଆସିବ। ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ। କିନ୍ତୁ ପୁଣି ପରେ ଏହି କଟକଣାକୁ ସକାଳ ୬ଟା ଯାଏ ବଳବତ୍ତର ରଖାଯାଇଥିଲା। ପୂର୍ବରୁ ବ୍ରଜବ୍ୟାଣ୍ଡ ଓ ଲିଜଲାଇନ୍ ସେବା ଉପଲବ୍ଧ ଅଛି। ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା। ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣା ପରେ ଇଣ୍ଟନେଟ୍ ସେବା ବନ୍ଦ ରହିଥିଲା। ତେବେ ଗତ ଶୁକ୍ରବାରଠାରୁ ସରକାର ସମସ୍ତ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟର୍‌ନେଟ୍ ସେବାକୁ କଟକଣା ମୁକ୍ତ କରି ଦେଇଥିଲେ। ଅର୍ଥାତ୍ ଲିଜ୍‌ଲାଇନ୍ ଓ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଥିବା‌ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୁକ୍ରବାରଠାରୁ ୨୪ ଘଣ୍ଟିଆ ଇଣ୍ଟର୍‌ନେଟ୍ ପାଇଥିଲେ। ହେଲେ ମୋବାଇଲ୍ ଇଣ୍ଟର୍‌ନେଟ୍ ବନ୍ଦ ରହିଥିଲା।

ଏପଟେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ବିବୃତ୍ତି ଜାରି କରି କହିଛନ୍ତି ଯେ, ସମ୍ବଲପୁରର ସମ୍ବେଦନଶୀଳ ଘଟଣା ପରେ ଲୋକଙ୍କ ପୂର୍ଣ୍ଣ ସହଯୋଗ ଏବଂ ପୁଲିସ ପ୍ରଶାସନର ଦୃଢ ଉଦ୍ୟମ ଯୋଗୁ ସେଠାରେ ସ୍ବାଭାବିକ ଅବସ୍ଥା ଫେରିଆସୁଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶା ବିଜେପି ନେତାମାନେ ସ୍ଥିତି ସ୍ବାଭାବିକ ହେଉ ବୋଲି ଚାହୁନାହାନ୍ତି। ଏହିଭଳି ଘଟଣା ଜାରି ରହୁ ବୋଲି ସେମାନେ ଚାହୁଛନ୍ତି। ବିଜେପି ନେତାମାନଙ୍କର ପ୍ରାରମ୍ଭିକ ପ୍ରୟାସ ବିଫଳ ହେବା ପରେ ଏବେ ବିଭିନ୍ନ ଉପାୟ ମାଧ୍ୟମରେ ଏହି ପ୍ରସଙ୍ଗକୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ବିଜେପି ବନ୍ଦ ଡାକରା ଦେଇଥିଲା। ଯାହା ଓଡ଼ିଶାର ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥିଲା। ବର୍ତ୍ତମାନ ସେମାନେ ପୁଣିଥରେ ଏଭଳି କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଶାର ଶାନ୍ତିପ୍ରେମୀ ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି।

ଓଡ଼ିଶାର ଲୋକମାନେ ଶାନ୍ତିପ୍ରେମୀ ଏବଂ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। କିନ୍ତୁ ଓଡ଼ିଶା ବିଜେପି ସେମାନଙ୍କୁ ଆଇନବିହୀନ ବୋଲି କହି କ୍ରମାଗତ ଭାବେ ଅପମାନିତ କରୁଛି। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଜଣେ ବରିଷ୍ଠ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଏହା ତାଙ୍କଠାରୁ ଆଶା କରାଯାଉନାହିଁ। ଓଡ଼ିଶାର ଲୋକମାନେ ଶାନ୍ତି ଚାହୁଛନ୍ତି ଏବଂ ସମ୍ବଲପୁରର ଲୋକମାନେ ଶୀଘ୍ର ସ୍ଥିତି ସ୍ବାଭାବିକ ହେବା ଚାହୁଛନ୍ତି। ଯାହା ଓଡ଼ିଶା ବିଜେପିର ଏଜେଣ୍ଡା ସହ ମେଳ ଖାଉନି। ତେଣୁ ସେମାନେ କ୍ରମାଗତ ଭାବେ ଓଡ଼ିଶା ଏବଂ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.