ଆଇପିଏଲ ୨୦୨୩ : ଆରସିବିକୁ ଝଟକା, ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଚାଲିଛି ଆଇପିଏଲ ମହାସମର । ମଇଦାନରେ ଲଢୁଛନ୍ତି ଖେଳାଳୀ । ଚଳିତ ଆଇପିଏଲ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ମଙ୍ଗଳବାର ଜବରଦସ୍ତ ଝଟ୍‌କା ଲାଗିଛି । କାରଣ ଦଳର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ରଜତ ପାଟିଦାର ସଂସ୍କରଣରୁ ବାଦ୍‌ ପଡିଛନ୍ତି । ଗୋଇଠିରେ ଆଘାତ ପାଇଥିବା କାରଣରୁ ସେ ଚଳିତ ସଂସ୍କରଣରେ ଆଉ ଖେଳିପାରିବେ ନାହିଁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଇପିଏଲ୍‌ର ଷୋଡଶ ସଂସ୍କରଣ ପାଇଁ ବାଙ୍ଗାଲୋର୍‌ ଦଳର କ୍ୟାମ୍ପ୍‌ରେ ଯୋଗଦେବା ପୂର୍ବରୁ ପାଟିଦାର ଆହତ ହୋଇଥିଲେ । ତେଣୁ ସେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ ଖେଳିପାରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କ ଆଘାତଜନିତ ସ୍ଥିତିର ଗମ୍ଭୀରତା ସମ୍ପର୍କରେ ସବିଶେଷ ସୂଚନା ମିଳିବା ପରେ ସେ ଚଳିତ ସଂସ୍କରଣରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଗତ ସିଜନ୍‌ରେ ୨୯ ବର୍ଷୀୟ ଏହି ଟପ୍‌ ଅର୍ଡର୍‌ ବ୍ୟାଟ୍ସମ୍ୟାନ୍‌ ୩୩୩ ରନ୍‌ କରି ଦଳର ତୃତୀୟ ସର୍ବାଧିକ ସ୍କୋରର୍‌ ରହିଥିଲେ । ଏହାଛଡା ସେ କ୍ୱାଲିଫାୟର୍‌-୧ରେ ଆଇପିଏଲ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ୍‌ କରାଯିବ ନାହିଁ ବୋଲି ବାଙ୍ଗାଲୋର୍‌ ଫ୍ରାଞ୍ଚାଇଜ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ସଂସ୍କରଣରେ ୨୦ଟି ୱିକେଟ୍‌ ନେଇଥିବା ଫ୍ରାଞ୍ଚାଇଜ୍‌ର ସଫଳତମ ବୋଲର୍‌ ଜୋଶ୍‌ ହେଜଲଉଡ୍‌ ଚଳିତ ମାସ ଚତୁର୍ଥ ସପ୍ତାହ ପୂର୍ବରୁ ଖେଳିପାରିବେ ନାହିଁ ବୋଲି ସଙ୍କେତ ଦେଇଥିଲେ । ତା’ଛଡା ଦଳର ପ୍ରଥମ ମ୍ୟାଚରେ ଇଂଲିଶ୍‌ ପେସର୍‌ ରିସ୍‌ ଟପ୍‌ଲୀ ମଧ୍ୟ କାନ୍ଧରେ ଗୁରୁତର ଆଘାତ ପାଇଛନ୍ତି ।

Leave A Reply

Your email address will not be published.