ଆଜିଠୁ ଆଇପିଏଲ ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ଗୁଜରାଟ-ଚେନ୍ନାଇ ମୁହାଁମୁହିଁ

0
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ଆରମ୍ଭ ଆଇପିଏଲ ମହାକୁମ୍ଭ । ଏହି ନୂଆ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବିଜେତା ଗୁଜରାଟ ଟାଇଟନ୍ସ ସହିତ ଖେଳିବ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ। ବିଗତ ୩ ବର୍ଷ ଧରି ଆଇପିଏଲ୍‌ ଏହାର ସମ୍ପୂର୍ଣ୍ଣ ସ୍ତରରେ ଖେଳାଯାଇ ପାରିନଥିଲା । କୋଭିଡ୍‌ କାରଣରୁ ୨୦୨୦ରେ ସମ୍ପୂର୍ଣ୍ଣ ଏବଂ ୨୦୨୧ର ଦ୍ବିତୀୟାର୍ଦ୍ଧ ୟୁଏରେ ଖେଳାଯାଇଥିବା ବେଳେ ୨୦୨୨ ୧୦ ଦଳୀୟ ଲିଗ୍‌ର ଅଧିକାଂଶ ମ୍ୟାଚ୍‌ ମୁମ୍ବାଇ ଓ ପୁନେରେ ଅନୁଷ୍ଠିତ ହୋଇଥିଲା । ଏବେ ସେହି ୧୦ ଦଳକୁ ନେଇ ଦେଶର ୧୨ଟି ସହରରେ ଲିଗ୍ ପର୍ଯ୍ୟାୟର ୭୦ ମ୍ୟାଚ୍‌ ଖେଳାଯିବ । ଘର-ବାହାର ମ୍ୟାଚ୍‌ ପ୍ରକ୍ରିୟା ମଧ୍ୟ ପୁନଃ ପ୍ରଚଳିତ ହେବ । ୨୦୨୩ ସଂସ୍କରଣ ମଧ୍ୟ କିଛି ନୂଆ ପରିବର୍ତନ ସହ ଆସୁଛି । ଇମ୍ପାକ୍ଟ ପ୍ଲେୟାର୍‌ ନିୟମ ବଳରେ କୌଣସି ଦଳ ଟସ୍ ପରେ ମ୍ୟାଚ୍‌ର ଯେ କୌଣସି ମୁହୂର୍ତ୍ତରେ ଜଣଙ୍କୁ ବଦଳାଇ ପାରିବ । ସେହିଭଳି ନୋ ବଲ୍ ଏବଂ ୱାଇଡ୍‌ ବଲ୍‌ ପାଇଁ ଅମ୍ପାୟାର୍‌ ରିଭ୍ୟୁ କରିପାରିବେ । ଗତବର୍ଷ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଲଟା ପଥରେ ଗତି କରିଥିଲେ। ଗୁଜରାଟ ୧୪ରୁ ୧୦ ଜିତି ଗ୍ରୁପ୍ ଟପ୍ପର ହେବା ସହ ନିଜ ଉଦୟକୁ ଜାରି ରଖି ବିଜେତା ହୋଇଥିଲା । ଜାଡେଜା-ଧୋନିଙ୍କ ନେତୃତ୍ବରେ ଖେଳି ସିଏସ୍‌କେ କିନ୍ତୁ ୧୪ରୁ ୪ ଜିତି ୧୦ ଦଳ ମଧ୍ୟରେ ନବମରେ ରହି ଲଜ୍ଜିତ ହୋଇଥିଲା । ଲିଗ୍ ପର୍ଯ୍ୟାୟରେ ଉଭୟ ମୁକାବିଲାରେ ମଧ୍ୟ ପାଣ୍ଡ୍ୟାଙ୍କ ଦଳ ବାଜି ମାରି ନେଇଥିଲା । ଚେନ୍ନାଇ ଏଥର ଭାଗ୍ୟରେ ପରିବର୍ତ୍ତନ କରିବାର ଆଶା ରଖିଛି । ଦଳର ୩ ଅଭିଜ୍ଞ ଅଲରାଉଣ୍ଡର୍‌ ବେନ୍ ଷ୍ଟୋକ୍ସ, ରବୀନ୍ଦ୍ର ଜାଦେଜା, ମୋଇନ୍ ଅଲୀଙ୍କ ପ୍ରଭାବ ନିଶ୍ଚିତ ଏହି ଦଳ ପାଇଁ ନିର୍ଣ୍ଣାୟକ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ କିନ୍ତୁ ଲଗାତାର ଟ୍ରଫି ଜିତି ସିଏସ୍‌କେ ଓ ମୁମ୍ବାଇ ଇଣ୍ଡିଆନ୍ସ ପଥରେ ଯିବାର ଲକ୍ଷ୍ୟ ରଖିଛି ।

ଏହାରି ମଧ୍ୟରେ ଆଇପିଏଲ ୨୦୨୩ର ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଦଳ ଗୁଜୁରାଟ ଟାଇଟାନ୍ସ ଏବଂ ଏମଏସ ଧୋନିଙ୍କ ଅଧିନାୟକରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଏହାର ଅର୍ଥ ହେଉଛି ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ତେବେ ଫାଇନାଲ ମ୍ୟାଚ୍ ୨୩ ମେ ଖେଳାଯିବ । ୫୨ ଦିନ ଧରି ଚାଲିବାକୁ ଥିବା ବିଶ୍ୱର ଏହି ବିତ୍ତଶାଳୀ ଲିଗରେ ୧୦ଟି ଦଳ ମଧ୍ୟରେ ମୋଟ୍ ୭୦ ଟି ଲିଗ୍ ମ୍ୟାଚ୍ ଖେଳାଯିବ । ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହିପରି ଭାବେ ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ । ସେଥିମଧ୍ୟରୁ ୧୮ଟି ଡବଲ୍ ହେଡର୍ (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ରହିବ । ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ 12ଟି ଗ୍ରାଉଣ୍ଡରେ ଖେଳାଯିବ । ଗୋଟିଏ ଦଳ ଲିଗ୍ ରାଉଣ୍ଡରେ ସାତୋଟି ମ୍ୟାଚ୍ ଏବଂ ବିରୋଧୀ ଦଳର ଗ୍ରାଉଣ୍ଡରେ ସାତୋଟି ମ୍ୟାଚ୍ ଖେଳିବ । ଆଇପିଏଲ୍ ୨୦୧୯ ପରେ ପ୍ରଥମ ଥର ପାଇଁ ସମସ୍ତ ଦଳ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । କରୋନା ଭାଇରସ୍ ମହାମାରୀ ହେତୁ ୨୦୨୦ ରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ, ୨୦୨୧ ମସିହାରେ ଭାରତର କିଛି ପଡିଆରେ ମ୍ୟାଚ୍ ଖେଳା ଯାଇଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ମଧ୍ୟଭାଗରେ ବନ୍ଦ କରି ୟୁଏଇ ସ୍ଥାନାନ୍ତରିତ କରାଯାଇଥିଲା । ୨୦୨୨ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପୁର୍ଣ୍ଣ ଭାରତରେ ଖେଳା ଯାଇଥିଲା । କିନ୍ତୁ ମୁମ୍ବାଇ ପୁଣେରେ ଲିଗ୍ ମ୍ୟାଚ୍ ଏବଂ ଅହମ୍ମଦାବାଦ ଓ କୋଲାକତାରେ ପ୍ଲେ ଅଫ୍ ମ୍ୟାଚ୍ ଗୁଡିକ ଖେଳାଯାଇଥିଲା ।

Leave A Reply

Your email address will not be published.