ଆଇପିଏଲ ଟକ୍କର୍: ଲଗାତାର ୫ମ ମ୍ୟାଚ୍ ହାରିଲା ଦିଲ୍ଲୀ, ୨୩ ରନରେ ବେଙ୍ଗାଲୁରୁ ବିଜୟୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଇପିଏଲର ୧୬ ତମ ସିଜନରେ ଲଗାତାର ୫ମ ମ୍ୟାଚ୍ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ ।  ଆରମ୍ଭ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କବଳରୁ ବର୍ତ୍ତି ପାରିନି । ଦଳ ଚଳିତ ସିଜିନରେ ଲଗାତାର ୫ମ ମୁକାବିଲା ହାରିଛି । ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ଦିଲ୍ଲୀକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୩ ରନରେ ପରାଜିତ କରିଛି । ଏହି ବିଜୟ ସହ ବେଙ୍ଗାଲୁରୁ ପଏଣ୍ଟସ ଟେବୁଲର ୭ମ ସ୍ଥାନକୁ ଉନ୍ନୀତ ହୋଇଛି । ସେହିପରି ଦିଲ୍ଲୀ ଶେଷ ସ୍ଥାନରେ ରହିଛି । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜିର ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ ବ୍ୟାଟରମାନେ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୧ରନ୍ କରିବାକୁ ସକ୍ଷମ ହୋଇଥିଲେ ।

ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ମହିପାଲ ଲୋମରୋର ୨୬ ରନ୍ , ଗ୍ଲେନ ମ୍ୟାକ୍ସୱେଲ୍ ୨୪ ରନ୍ ଏବଂ ଅଧିନାୟକ ଫାପ୍ ଡୁପ୍ଲେସୀ ୨୨ ରନ୍ କରିଥିଲେ । ଦିଲ୍ଲୀର ମିଚେଲ ମାର୍ଶ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଁଏ ୱିକେଟ୍ ଅକ୍ତିଆର କରିଥିଲେ । ୧୭୫ରନର ବିଜୟ ଲକ୍ଷ୍ୟକୁ ଚେଜ୍ କରି ଦିଲ୍ଲୀର ଆରମ୍ଭ ଖରାପ ରହିଥିଲା । ଟିମ୍ ପାୱାରପ୍ଲେ ରେ ୩୨ କରିବା ସହ ୪ଟି ୱିକେଟ୍ ହରାଇଥିଲା । ଏପରିସ୍ଥିତିରେ ମିଡିଲ ଅଡରରେ ଖେଲିବାକୁ ଆସିଥିବା ମନିଷ ପାଣ୍ଡେୟ (୫୦ ରନ୍) ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ଦଳକୁ ସମ୍ଭାଳୁଥିବା ବେଳେ ଏଲବିଡବ୍ଲୁ ହୋଇ ଆଉଟ୍ ହୋଇଯାଇଥିଲେ । ଅକ୍ଷର ପଟେଲ (୨୧ ରନ୍) ମଧ୍ୟ ପ୍ରଭାବୀ ବ୍ୟାଟିଂ କରିପାରିନଥିଲେ । ଅଧିନାୟକ ଡେଭିଡ ୱାର୍ଣ୍ଣର ୧୯ରନର ଯୋଗଦାନ ଦେଇଥିଲେ । ବେଙ୍ଗାଲୁରୁ ପକ୍ଷରୁ ଆଇପିଏଲ ଡେବ୍ୟୁ କରୁଥିବା ବିଜୟ କୁମାର ବିଶାଙ୍କ ତିନି ୱିକେଟ୍ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.