ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଖଲିସ୍ତାନୀ ଉଗ୍ରବାଦୀଙ୍କୁ ଧରି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ପଡ଼ୋଶୀ ଦେଶ । ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର । ଆଉ ଏହାକୁ ଖୋଲାଖୋଲି ସମର୍ଥନ କରୁଛି କାନାଡ଼ା । ଖଲିସ୍ତାନୀ ଉଗ୍ରବାଦୀଙ୍କ ସହିତ ଆଇଏସଆଇ ଓ ଅଣ୍ଡରଓ୍ବାର୍ଲ୍ଡ ଲିଙ୍କ୍ ଥିବା ନେଇ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ । ଆତଙ୍କୀ ହରଦୀପ ସିଂହ ନିଜ୍ଜାର୍ର ହତ୍ୟା ପରେ ଏହା ସ୍ପଷ୍ଟ ହୋଇଯାଇଛି । ଭାରତରେ ଖଲିସ୍ତାନୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ ଏହାର ଖିଅ ଖୋଜିବାକୁ ଲାଗିପଡ଼ିଥିଲା । ବିଶେଷକରି ଖଲିସ୍ତାନ- ଗ୍ୟାଙ୍ଗ୍ଷ୍ଟର ନେଟ୍ୱର୍କକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଏଥିରୁ ଏବେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଖଲିସ୍ତାନ-ଗ୍ୟାଙ୍ଗ୍ଷ୍ଟର୍ ନେଟ୍ୱର୍କ ସହିତ ଆଇଏସ୍ଆଇର ସମ୍ପର୍କ ରହିଥିବା ଏଥିରୁ ଜଣାପଡ଼ିଛି । ମୁମ୍ବାଇରେ ୯୦ ଦଶକରେ ଯେଉଁଭଳି ଭାବେ ଆଇଏସ୍ଆଇ ଓ ଅଣ୍ଡରୱାର୍ଲଡ ମିଶି ଷଡ଼ଯନ୍ତ୍ର କରୁଥିଲେ, ଠିକ୍ ସେମିତି ଏବେ ଖଲିସ୍ତାନ-ଗ୍ୟାଙ୍ଗ୍ଷ୍ଟର୍ର ନେଟ୍ୱର୍କ କାମ କରୁଛି । ଏହି ଆତଙ୍କୀମାନେ ବିଦେଶରେ ବସି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି ।
ଏନ୍ଆଇଏ ମୁତାବକ, ୧୯୯୩ ବମ୍ବେ ବିସ୍ଫୋରଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମୁମ୍ବାଇର ଗ୍ୟାଙ୍ଗ୍ଷ୍ଟର୍ ନେଟ୍ୱର୍କକୁ ବ୍ୟବହାର କରିଥିଲା । ସେହିଭଳି ବର୍ତ୍ତମାନ କାନାଡା ଓ ପାକିସ୍ତାନରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଆଇଏସ୍ଆଇ ହାତମୁଠାକୁ ଆଣି ଭାରତ ବିରୋଧରେ ଆତଙ୍କୀ ଷଡ଼ଯନ୍ତ୍ର ପାଇଁ ବ୍ୟବହାର କରୁଛି । ଏମିତି କି ନିଜ୍ଜାର୍ର ହତ୍ୟା ପଛରେ ଆଇଏସ୍ଆଇର ହାତ ରହିଥିବା ମଧ୍ୟ କୁହାଯାଉଛି । ଏନ୍ଆଇଏ ନିଜ ଚାର୍ଜସିଟ୍ରେ ଲେଖିଛି, ଯେଉଁଭଳି ଭାବେ ବଲିଉଡ୍-ଅଣ୍ଡରୱାର୍ଲଡ ମଧ୍ୟରେ ସମ୍ପର୍କ ଥିଲା, ଠିକ୍ ସେମିତି କାନାଡା, ପାକିସ୍ତାନ ଓ ଅନ୍ୟ ଦେଶଗୁଡ଼ିକରେ ଥିବା ଗ୍ୟାଙ୍ଗ୍ଷ୍ଟର୍ମାନେ ଏବେ ପଞ୍ଜାବୀ ସିଙ୍ଗର୍, ଖେଳାଳି ଓ ଉଦ୍ୟୋଗପତିଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି । ସେମାନଙ୍କଠାରୁ ପାଣ୍ଠି ହାସଲ କରୁଛନ୍ତି । ଚାର୍ଜସିଟ୍ରେ ଆହୁରି କୁହାଯାଇଛି ଯେ ଗ୍ୟାଙ୍ଗ୍ଷ୍ଟର୍ ଅର୍ସଦୀପ ଡଲ୍ଲା ଓ ଅନ୍ୟ କେତେକ ସିଣ୍ଡିକେଟ୍ର ସମ୍ପର୍କ ବିଦେଶୀ ଗୁଇନ୍ଦା ଏଜେନ୍ସି ସହିତ ରହିଛି । ବିଶେଷକରି ପାକିସ୍ତାନୀ ଏଜେନ୍ସି ଆଇଏସ୍ଆଇ ସହିତ ଏମାନଙ୍କର ସମ୍ପର୍କ ରହିଛି । ଏମାନଙ୍କୁ ବ୍ୟବହାର କରି ଆଇଏସ୍ଆଇ ଭାରତର ଅଖଣ୍ଡତା ବିରୋଧରେ ଅଭିଯାନ ଚଳାଉଛି । ଖଲିସ୍ତାନ-ଗ୍ୟାଙ୍ଗ୍ଷ୍ଟର୍ ନେଟ୍ୱର୍କ ସହ ଆଇଏସ୍ଆଇର ଲିଙ୍କ୍ ରହିବା ଭାରତ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ଏନ୍ଆଇଏ ଏହି ଖିଅ ଜାଣିନେବା ପରେ ୭ଟି ରାଜ୍ୟର ୫୩ଟି ସ୍ଥାନରେ ଜୋରଦାର ଚଢ଼ଉ କରିଛି । ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ୍ରେ ଥିବା ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ କରାଯାଇଛି । ବୁଧବାର ସକାଳେ ପଞ୍ଜାବ, ହରିଆଣା, ରାଜସ୍ଥାନ, ଦିଲ୍ଲୀ-ଏନ୍ସିଆର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୋଟ ୫୩ ସ୍ଥାନରେ ଚଢ଼ଉ କରାଯାଇଛି । ଲରେନ୍ସ, ବମ୍ବିହା ଓ ଅର୍ସ ଡଲ୍ଲା ଗ୍ୟାଙ୍ଗ୍ର ସହଯୋଗୀମାନଙ୍କ ସହ ଜଡ଼ିତ ଠିକଣାକୁ ଦୃଷ୍ଟିରେ ରଖି ଏହି ଚଢ଼ଉ ହୋଇଛି ।