ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଏନେଇ ସେ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ସୋମବାର ଏକ ଖବରଦାତା ସମ୍ମିଳନୀରେ ଗଜପତି ମହାରାଜା ଇସ୍କନର ଏହି କାର୍ଯ୍ୟକୁ ନାପସନ୍ଦ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶାସ୍ତ୍ରରେ ଲେଖାଥିବା ନିୟମ ଉଲ୍ଲଂଘନ କରିବା ଠିକ ନୁହେଁ ବୋଲି ଗଜପତି କହିଛନ୍ତି।
ଲୋକଙ୍କ ବିରୋଧ ଯୋଗୁ ନିକଟରେ ଗତ ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରାକୁ ଇସ୍କନ ବନ୍ଦ କରିଥିଲା। ତେବେ ସୂଚନା ମୁତାବକ, ପୁରୀ ଗଜପତି ମହାରାଜା କହିଛନ୍ତି, ଚିଠି ଲେଖିବା ସତ୍ତ୍ବେ ଇସ୍କନ ନ ମାନି ରଥ ଆୟୋଜନ କରୁଛି। ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ ନୁହେଁ।୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି।
ଏଭଳି ହେଲେ ଆଗକୁ ଆମେ ଆଇନର ରାସ୍ତା ନେବୁ। ମାର୍ଚ୍ଚ ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନର ଗଭର୍ନିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ନଚେତ୍ ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା। ବହୁତ ବୁଝେଇଲୁ, ବହୁତ ଅପେକ୍ଷା କଲୁ କିନ୍ତୁ କିନ୍ତୁ ସମାଧାନ ହେଲାନି। ଏଇଟା ଖେଳଘର ନୁହେଁ। ଏଣିକି ନ ମାନିଲେ ଆଇନଗତ ହେବ। ପ୍ରଚାର ଯାତ୍ରା କର କିନ୍ତୁ ରଥଯାତ୍ରା କରନି ବୋଲି ଗଜନତି ମହାରାଜ କହିଛନ୍ତି।