ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଥିବା ବେଳେ, ଏପରି ଏକ ଅବହେଳିତ ଅବ୍ୟବସ୍ଥା ଭିତରେ ତିରିଶ ବର୍ଷ ଧରି ଚାଲିଛି ଘଞ୍ଚ ବାଉଁଶ ବୁଦା ମୂଳେ ଅଙ୍ଗନବାଡ଼ି।ଏହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ ପଞ୍ଚାୟତ ରେ।
ଶିଶୁ ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଅଙ୍ଗନବାଡ଼ି ଖୋଲିଛନ୍ତି ସତ ; ହେଲେ ସରକାରଙ୍କ ଏହି ଯୋଜନା ସତେ ଯେପରି ଫେଲ ମାରିଛି ହାଟଡିହି ବ୍ଳକରେ। ଉକ୍ତ ବ୍ଳକରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୧୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଥିବାବେଳେ ଅବଶିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ର ବାଉଁଶ ବୁଦା ମୂଳେ, ସ୍କୁଲ ବାରଣ୍ଡାରେ ତ ଆଉ କେଉଠି କର୍ମୀ କିମ୍ବା ହେଲପରଙ୍କ ଘରେ ଚାଲୁଛି। ବାଉଁଶ ବୁଦା ଭିତରେ ବିଷଧର ସରୀସୃପ ଚଳପ୍ରଚଳ କରୁଥିବା ଜାଣି ବି ବିପଦକୁ ବରଣ କରି ଖେଳ, କୁଦ ସହିତ ପାଠ ପଢୁଛନ୍ତି ଛୋଟ ଛୋଟ ଅବୋଧ ଶିଶୁ ପିଲାମାନେ। ଏମିତି କି ନିଜ
ଘରେ ରୋଷେଇ କରି ଆଣିଥିବା ଖାଦ୍ୟ ପିଲାମାନଙ୍କୁ ଦେଉଛନ୍ତି ହେଲପର। ସେହିପରି ସାମାନ୍ୟ ବର୍ଷା ,ପବନ ହେଲେ କେଉଁଠି ତ ଅଙ୍ଗନବାଡ଼ି ଛୁଟି ହୋଇଥାଏ ।
ଆହୁରି ବି ଏହି ବ୍ଲକ ଅଧୀନସ୍ଥ ସଢ଼ା ପଞ୍ଚାୟତର ଜନ୍ତାଳପଦି, ରଘୁନାଥପୁର, ଢ଼େଙ୍କା ପଞ୍ଚାୟତର ସୁନ୍ଦରପୁର ତ ,ବଞ୍ଚୋ ପଞ୍ଚାୟତ ର ସିଂ ଡୋବ ଓ ସୋସୋ ପଞ୍ଚାୟତର ଅଁଳାଗଡିଆ ଠାରେ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ଥିଲେ ମଧ୍ୟ ଅଙ୍ଗନବାଡ଼ି ୱ।ର୍କର ନିଜ ଘର ବାରଣ୍ଡାରେ ଅତି ଦୟନୀୟ ଭାବେ ପିଲାଙ୍କୁ ବସାଇ ପାଠ ପଢ଼ାଉଛନ୍ତି,ଯାହାକି ଏହି ବିଭାଗର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।