କାଲିଠୁ ଛେଚିବ ବର୍ଷା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର ଦିନ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ଜୈସାଲମେର୍‌ରୁ ବାହାରି, ଆଜ୍‌ମେର୍‌, ଶିବପୁରୀ, ସିଦ୍ଧି, ଡାଲ୍‌ଟନ୍‌ଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେଉଛି। ୧୧ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ୧ ଜୁନ୍‌ରୁ ଆଜି ୯ ଜୁଲାଇ ମଧ୍ୟରେ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫% କମ୍‌। ଏହି ସମୟ ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ।

ରାଜ୍ୟରେ ଏବେ ବର୍ଷାର ପରିମାଣ କମ୍‌ ରହିଥିବା ବେଳେ ୧୨ ଓ ୧୩ ତାରିଖ ଆଡ଼କୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ସମ୍ଭାବନା ମଧ୍ୟ ରହିଛି। ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିପାରେ। ରବିବାର ଦିନ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି।

Leave A Reply

Your email address will not be published.