ଜଳୁନି ଷ୍ଟ୍ରୀଟ୍ ଲାଇଟ୍‌, ଅନ୍ଧାରରେ ୭ ଗାଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟତପୁର ପଂଚାୟତର ୭ଟି ଗାଁ ଅନ୍ଧାରରେ ରହୁଛି । ଏହାଦ୍ୱାରା ରାତିବେଳା ଲୋକେ ଯିବା ଆସିବା କରିବାରେ ସମସ୍ୟାରେ ପଡୁଛନ୍ତି । ସେହିପରି ଗାଁ ରାସ୍ତା ଅନ୍ଧାର ରହୁଥିବାରୁ ବିଷାକ୍ତ ଜୀବଯନ୍ତୁ ଲୋକଙ୍କୁ କାମୁଡୁଛନ୍ତି । ଏ ନେଇ ଗ୍ରାମବାସୀମାନେ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଆୟତପୁର, ବାଳିସିଙ୍ଗି, ଡିହବଳରାମପୁର, ବିଲବଳରାମପୁର, ଅମୃତମଣୀପାଟଣା, ମାହାରକୂଳ ଓ ଦିଆନପାଟଣା ପ୍ରମୁଖ ୭ଟି ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି ଯେ ଷ୍ଟ୍ରୀଟ୍ ଲାଇଟ୍ ନ ଥିବାରୁ ସନ୍ଧ୍ୟାବେଳେ ପିଲାମାନେ ଟ୍ୟୁସନ ଯିବା ଆସିବା କରିବା ବେଳେ ସମସ୍ୟାରେ ପଡୁଛନ୍ତି । କାରଣ ଗାଁ ଦାଣ୍ଡରେ ଶରୀସୃପ ବଲୁୁଛନ୍ତି । କେତେଜଣ ପିଲା ଶରୀସୃପ କାମୁଡାର ଶିକାର ହେଲେଣି । ସେହିପରି ରାତିରେ ବିଭିନ୍ନ କାମରେ ବାହାରକୁ ଯାଇଥିବା ଲୋକେ ଘରକୁ ଫେରିବା ବେଳେ ମଧ୍ୟ ସମସ୍ୟାରେ ପଡୁଛନ୍ତି ।

ଏହାକୁ ନେଇ ଅସାମାଜିକ କାର୍ଯ୍ୟ ମଧ୍ୟ ଘଟୁଛି । ଏ ନେଇ ଗ୍ରାମବାସୀ ସରପ ଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯେଉଁ ଠିକାଦାର ଷ୍ଟ୍ରୀଟ୍ ଲାଇଟ୍ ଲଗାଇବା ଦାୟିତ୍ୱ ନେଇଥିଲା ସେ ନିମ୍ନମାନର ଷ୍ଟ୍ରୀଟ୍ ଲାଇଟ୍ ଲଗାଇଥିଲେ । ଯାହା ଫଳରେ କିଛି ଦିନ ବ୍ୟବଧାନରେ ସେଗୁଡିକ ଆଉ ଜଳୁନାହିଁ । ତେଣୁ ଯେଉଁ ଠିକାଦାର ଷ୍ଟ୍ରୀଟ୍ ଲାଇଟ୍ ଲଗାଇବା ଦାୟିତ୍ୱ ନେଇଥିଲେ ତାହାର ଭିଜିଲାନ୍ସ ତଦନ୍ତ କରାଯାଉ । ଫଳରେ କିଏ କେତେ ପିସି ଖାଇ ନିମ୍ନମାନର ଷ୍ଟ୍ରୀଟ୍ ଲାଗାଇଛି ତାହା ପଦାକୁ ଆସିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.