ଉତ୍କଳ ଦିବସରେ ଓଡିଶା ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରି ଅପମାନିତ କରିଥିବା ବିଛିନ୍ନତାବାଦୀ ସଂଗଠନକୁ ଗିରଫ କର, ଡିଜିପିଙ୍କୁ ଦାବି ପତ୍ର ଦେଲା ଜନମଙ୍ଗଳ ପରିଷଦ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଗତ କାଲି ସମଗ୍ର ଓଡ଼ିଆ ଜାତି ବିଶ୍ୱର କୋଣ ଅନୁକୋଣରେ ଉତ୍କଳ ଦିବସ ପାଳନ କରୁଥିବା ବେଳେ ଏକ ଦୁଖଦଃ ତଥା ନିନ୍ଦନୀୟ ଘଟଣା ଘଟିଥିବାର ଆମ ନଜରରେ ଆସିଛି | ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏକ ଭିଡିଓରେ ଦେଖାଯାଉଛି କି କିଛି ଅସାମାଜିକ ଶ୍ରେଣୀୟ ଯୁବକ ଉତ୍କଳ ଦିବସ ପାଳନର ବ୍ୟାନରକୁ ଚିରିବା ସହ ‘ଗୋ ବ୍ୟାକ ଓଡିଶା’, ଓଡିଶା ଛି ଛି , ଥୁ ଥୁ ଭଳି ଅତ୍ୟନ୍ତ ଅରୁଚିକର ସ୍ଲୋଗାନ ଦେଉଛନ୍ତି | ଭିଡିଓରେ ସ୍ପଷ୍ଟ ଜଣାପଡୁଛି ଯେ, western odisha yuva manch ଲେଖା ଯାଇଥିବା ଡ୍ରେସ ପିନ୍ଧି ଏହି ଯୁବକ ମାନେ କିଛି ସମୟ ଏଭଳି ଆତଙ୍କ ସୃଷ୍ଟି କରିଚାଲିଛନ୍ତି | ବରଗଡ଼ ଜିଲ୍ଲା ପୌର ପରିଷଦ ପକ୍ଷରୁ ଲଗାଯାଇଥିବା ଉତ୍କଳ ଦିବସ ଓ ଆହାର ସପ୍ତ ବାର୍ଷିକ କାର୍ଯ୍ୟକ୍ରମ ବ୍ୟାନର ଟିକୁ ଏହି ଦୁର୍ବୃଧ ମାନେ ଚିରି ଦେବା ସହ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାକୁ କ୍ଷତାକ୍ତ କଲାଭଳି ଶବ୍ଦ ପ୍ରୟୋଗ କରି ଗାଳି କରିଥିଲେ ଯାହା କଦାପି ଗ୍ରହଣଯୋଗ୍ୟ ନୁହେଁ |
ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱୀକୃତି ମିଳିବା ପରଠାରୁ ଯେଉଁ ସ୍ୱାଭିମାନ ଟିକକ ଆମ ଓଡ଼ିଆ ଲୋକଙ୍କ ଗର୍ବ ପାଲଟିଛି ତାହାକୁ ଧ୍ବଂସ କରିବାକୁ କିଛି ଉଗ୍ର ଆଞ୍ଚଳିକବାଦ ବିଚାରରେ ପୀଡିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ବାରମ୍ବାର ଚେଷ୍ଟା କରୁଛନ୍ତି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜର କ୍ଷମତା ଲାଳସା ଯୋଗୁ ଏଭଳି ଅକ୍ଷମଣୀୟ ଅପରାଧକୁ ପ୍ରଶୟ ଦେଉଛନ୍ତି । ଆଗରୁ ମଧ୍ୟ ବହୁଥର ଏଭଳି ଅପଚେଷ୍ଟା କରାଯାଇଛି । ସେମାନେ ଭୁଲି ଯାଉଛନ୍ତି ସାରା ଓଡିଶା ହେଉଛି ଆମର ମା । ନିଜ ମା ପ୍ରତି ହେଉଥିବା ଅପମାନକୁ ତାର କେହି ବି ସନ୍ତାନ ସହ୍ୟ କରିବେ ନାହିଁ ।
ଆଜି ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀରେ ଏହାର ପ୍ରତିବାଦ କରିବା ସହ ଏଭଳି ଉଗ୍ର ଆଞ୍ଚଳିକବାଦ ଓ ବିଛିନ୍ନତାବାଦୀ ସଂଗଠନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ଯାହା ଆଗାମୀ ଦିନରେ ଓଡ଼ିଶାର ସ୍ୱାଭିମାନ ଓ ଅଖଣ୍ଡତା ବଜାୟ ରଖିବାରେ ଭବିଷ୍ୟତ ପିଢ଼ି ଙ୍କୁ ଉତ୍ସାହିତ କରିବ ବୋଲି ଆମେ ଆଶା କରୁଛୁ। ଜନମଙ୍ଗଳ ପରିଷଦ ଏହି ଘଟଣାର ଦୃଢ଼ ଭାବେ ନିନ୍ଦା କରିବା ସହ, ଯଦି ଦୋଷୀ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ନକରାଯାଏ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବା ସହ ଏହାକୁ ଏକ ବିରାଟ ଜନ ଆନ୍ଦୋଳନର ରୂପ ଦେଇ ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ।