ଶ୍ରୀମନ୍ଦିରରେ ବଡ଼ ଅଘଟଣ: ମହାପ୍ରଭୁଙ୍କ ରୋଷଘରର ୪୦ରୁ ଅଧିକ ଚୂଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ଇତିହାସରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ରୋଷଘରର ଷାଠିଏରୁ ଉର୍ଦ୍ଧ ଚୁଲିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ସକାଳୁ ଏହା ଜଣାପଡିବା ପରେ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀମନ୍ଦିରକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ସୁପକାର ସେବାୟତମାନଙ୍କ ମଧ୍ୟରେ ବିବାଦ ଓ ଦୁର୍ବଳ ସୁରକ୍ଷା ବ୍ଯବସ୍ଥା ଯୋଗୁ ଏଭଳି ନିନ୍ଦନୀୟ ଘଟଣା ଘଟିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ ମହାପ୍ରସାଦ ପ୍ରସ୍ତୁତିରେ ମଧ୍ୟ ବାଧା ସୃଷ୍ଟି ହୋଇଛି।

ଗତକାଲି ରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପରେ ରୋଷ ଶାଳାକୁ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ବନ୍ଦ କରାଯାଇଥିଲା। ତେବେ ଆଜି ସକାଳୁ ସୁଆର ମାନେ ରୋଷ କାର୍ଯ୍ଯ କରିବାକୁ ଯିବାବେଳେ ପ୍ରାୟ ୬୦ ରୁ ଉର୍ଦ୍ଧ ଚୁଲି ଭଙ୍ଗା ଯାଇଥିବା ଦେଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍‌ ଓ ରୋଷ ଶାଳାରେ କଡା ସୁରକ୍ଷା ବଳୟ ରହିଥିଲେ ମଧ୍ୟ ରାତିରେ ଏହି କାଣ୍ଡ କିଏ କଲା ତାହା ଅସ୍ପଷ୍ଟ ରହିଛି।

ଶ୍ରୀମନ୍ଦିର ଇତିହାସରେ ରୋଷ ଚୁଲି ଭଙ୍ଗାଯିବା ଘଟଣା ପ୍ରଥମ । ଏପରି ନିନ୍ଦନୀୟ କାର୍ଯ୍ଯ ପରେ ମାମଲାର ଗୁରୁତ୍ବ ଦୃଷ୍ଟିରୁ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଓ ଶ୍ରୀମନ୍ଦିର ପ୍ରଶାସକ ଘଟଣାସ୍ଥଳକୁ ଯାଇ ମାମଲାର ଯାଞ୍ଚ ଓ ତଦନ୍ତ କରିଛନ୍ତି। ରୋଷ ଶାଳାରେ ୨୪୨ ଟି ପଞ୍ଜିକୃତ ଚୁଲି ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୪୦ଟି ଚୁଲିକୁ ଭଙ୍ଗା ଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଚୁଲି ଭଙ୍ଗା ଯାଇଥିଲେ ମଧ୍ୟ ଏହାକୁ ତୁରନ୍ତ ମରାମତି କରାଯାଇ ମହାପ୍ରସାଦ ପ୍ରସ୍ତୁତି କାର୍ଯ୍ଯ କରାଯାଇଥିଲା। ଆଜି ଛୁଟି ଦିନରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାପ୍ରସାଦ ପ୍ରସ୍ତୁତି କରାଯାଇଥିଲା। ତେବେ ଏହି ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରି ଅପରାଧିକୁ ଦଣ୍ଡିତ କରିବା ପାଇଁ ସାଧାରଣରେ ଦାବି ହୋଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଶ୍ରୀମନ୍ଦିର ଓ ସେବାୟତଙ୍କ ଛଡା ରାତିରେ ଅନ୍ଯ କେହି ଶ୍ରୀମନ୍ଦିର ରୋଷଘରକୁ ଯିବାର ଅନୁମତି ନାହିଁ l ଏଣୁ ସୁରକ୍ଷା ବ୍ଯବସ୍ଥାକୁ ଚ୍ଯାଲେଞ କରି ଚୁଲା ଭାଙ୍ଗିବା ଘଟଣା ସୁରକ୍ଷା ବ୍ଯବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.