ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ୧୪ ତମ ଭାରତ-ଜାପାନ ସମ୍ମିଳନୀରେ ଦେଲେ ଯୋଗ

0

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ବାଗତ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ପହଞ୍ଚିବା ପରେ ସେ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ କିଶିଦା ଭାରତ ଗସ୍ତ ସମୟରେ ପାଞ୍ଚ ଟ୍ରିଲିୟନ ୟେନ୍ (୪୨ ବିଲିୟନ ଆମେରିକୀୟ ଡଲାର) ବିନିଯୋଗ ଯୋଜନା ଘୋଷଣା କରିପାରନ୍ତି।  ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦୁଇ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି। ମାର୍ଚ୍ଚ ୧୯ ଏବଂ ୨୦ ରେ କିଶିଦା ନୂଆଦିଲ୍ଲୀରେ ରହିବେ। ଦିଲ୍ଲୀର ହାଇଦ୍ରାବାଦ ହାଉସରେ ୧୪ ତମ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଯୋଗ ଦେଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଭାରତ-ଜାପାନ ସହଭାଗିତାକୁ ଆଗେଇ ନେବା ଦିଗରେ ଆଉ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ରହିଛି। ଶାନ୍ତି, ସମୃଦ୍ଧତା ଏବଂ ପ୍ରଗତି ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତ ଏବଂ ଜାପାନ ମଧ୍ୟରେ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାର ଉପାୟ ଉପରେ ଦୁଇ ନେତା ଆଲୋଚନା କରିଥିଲେ।

ସୂଚନା ଥାଉକି ୨୦୧୮ରେ ଅନୁଷ୍ଠିତ ୧୩ ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮-୨୯ ଅକ୍ଟୋବରରେ ଜାପାନ ଗସ୍ତ କରିଥିଲେ।

Leave A Reply

Your email address will not be published.