ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ-ନିର୍ବାଚନ ପାଇଁ ୩ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେଡି- ବିଜେପି ଓ କଂଗ୍ରେସ ନିଜର ରଣକୌଶଳକୁ ଶାଣିତ କରିଛନ୍ତି । ଏହାରି ମଧ୍ୟରେ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଝାରସୁଗୁଡାରେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯାଇଥିଲା । ଆଉ ରାଜ୍ୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ଯୁବ ନେତା ଭାବେ ପରିଚିତ ତରୁଣ ପାଣ୍ଡେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ତରୁଣଙ୍କ ବାପା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ ମଧ୍ୟ ପୂର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡାରୁ ବିଧାୟକ ରହି ଆସିଛନ୍ତି । ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପୂର୍ବରୁ ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେପି ଏଯାବତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।
କୁହାଯାଉଛି, ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ମଧ୍ୟ ଆଜି ତାର ପ୍ରାର୍ଥୀ ଘୋଷଣା କରିବ । ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାଁ ସର୍ବାଗ୍ରେ ଅଛି । ଖୁବଶୀଘ୍ର ଏନେଇ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି କହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ଝାରସୁଗୁଡାରେ ଟଙ୍କଧର ସଙ୍ଗଠନ କରି ଆସୁଛନ୍ତି । ତେବେ ଏନେଇ ଦଳ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସୁବାସ । ଝାରସୁଗୁଡାରେ ବିଜେପିର ବିଜୟ ନିଶ୍ଚିତ ବୋଲି ସୁବାସ କହିଛନ୍ତି । କାରଣ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ରହିଛି । ଦୀନେଶ ଜୈନ ଦଳର ଟାଣୁଆ ସଙ୍ଗଠକ । ତେଣୁ ଦଳ ଖୁବଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବ ।