ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ଏହାରି ମଧ୍ୟରେ ଖରା ତାତିକୁ ବଳିଯାଉଛି ନିର୍ବାଚନୀ ତାତି । ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ଫୋକସରେ ରହିଛି ପ୍ରଚାର । ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ ପାଇଁ ଅଣ୍ଟା ଭିଡିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ନିଜର ଦମ ଦେଖାଇଥିବା ବେଳେ ଜୋରଦାର ପ୍ରଚାର ଆରମ୍ଭ କରିଛି । ପ୍ରଚାରର ସବୁ ମାଧ୍ୟମକୁ ବ୍ୟବହାର କରିଛି ଦଳ । ବିଜେଡି ନେତାମାନେ ବିଭିନ୍ନ ଅଂଚଳରେ ପ୍ରଚାର ମଙ୍ଗ ସମ୍ଭାଳିଥିବାବେଳେ ନବ ଦାସଙ୍କ ଅନୁଗତ ମାନେ ମଧ୍ୟ ଆକ୍ଟିଭ ହୋଇଛନ୍ତି । ନିଜେ ବିଜେଡି ପ୍ରାର୍ଥୀ ଦୀପାଳି ପ୍ରଚାରକୁ ଜୋରଦାର କରିଛନ୍ତି । ଶାସକ ବିଜେଡି ପାଇଁ ଏହି ଉପନିର୍ବାଚନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ନବଙ୍କ ହତ୍ୟା ପରେ ବିରୋଧୀ ଶାସକ ବିଜେଡିକୁ କାଠଗଡାକୁ ଟାଣିଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ନେଇ ଟାର୍ଗେଟ କରିଛନ୍ତି । ତେଣୁ ଝାରସୁଗୁଡ଼ାରେ ଭଲ ଭୋଟ ପାଇଲେ ବିରୋଧୀଙ୍କ ଅଭିଯୋଗର ଯେ କିଛି ପ୍ରଭାବ ପଡୁନି ଏ ବାର୍ତା ତୃଣମୂଳ ସ୍ତରକୁ ଯିବ । ତେଣୁ ଭଲ ବ୍ୟବଧାନରେ ବିଜୟ ପାଇଁ ଦଳ ଲାଗିପଡିଛି ।
ସେପଟେ କଂଗ୍ରେସ ମଧ୍ୟ ଝାରସୁଗୁଡ଼ାରେ ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରୁଥିବା କୁହାଯାଉଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ମୁଖ୍ୟ ବିରୋଧୀ ବିଜେପିକୁ ତୃତୀୟ ସ୍ଥାନକୁ ଠେଲି ଦ୍ଵିତୀୟ ସ୍ଥାନରେ ରହିଥିଲା । ତେଣୁ ଝାରସୁଗୁଡ଼ାରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରୁଛି । ସେଥିପାଇଁ ଷ୍ଟାର ପ୍ରଚାରକ ଭାବେ ଦଳ କହ୍ନେୟା କୁମାରଙ୍କୁ ରଖିଛି । ଏଥିସହିତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେପଟେ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ଶାସନ କ୍ଷମତାକୁ ଆସିବ ବୋଲି କହୁଥିବାରୁ ଏହି ଉପନିର୍ବାଚନ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବ୍ରଜରାଜନଗର ଉପନିର୍ବାଚନରେ ଦଳ ଅମାନତ ହରାଇଥିବା ବେଳେ ଝାରସୁଗୁଡ଼ାରେ କିନ୍ତୁ ଭଲ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ଜୋରଦାର କରିଛି । ଜଣେ ଯୁବ ପ୍ରାର୍ଥୀଙ୍କୁ ଦଳ ମଇଦାନକୁ ଆଣିଥିବା ବେଳେ ପ୍ରଚାରକୁ ବ୍ୟାପକ କରିବାକୁ ଯୋଜନା କରିଛି । ଏପରିକି ଝାରସୁଗୁଡ଼ା ରାଜନୀତି ଗଣିତକୁ ଏପଟ ସେପଟ କରିବା ପାଇଁ ଦଳ ଯୋଜନା କରୁଛି ବୋଲି କୁହାଯାଇଛି । ତେବେ ଆଗକୁ ଫଳ କଣ ବାହାରୁଛି ତାକୁ ହିଁ ଅପେକ୍ଷା ।