ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଭିନେତ୍ରୀ ଜିଆ ଖାନ୍ଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ସୂରଜ ପାଞ୍ଚୋଲି ଦୋଷମୁକ୍ତ ।ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି। ଯଥେଷ୍ଟ ପ୍ରମାଣ ଅଭାବରୁ ବିଚାରପତି ଏ. ଏସ୍. ସୟଦ୍ ସୂରଜଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି। ମୁମ୍ବାଇସ୍ଥିତ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତର ବିଚାରପତି ସୟେଦ୍ କହିଲେ, ଯଥେଷ୍ଟ ପ୍ରମାଣ ଅଭାବରୁ ଏହି ଅଦାଲତ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁ ନାହିଁ, ତେଣୁ ଆପଣ ଦୋଷମୁକ୍ତ।
ସୂଚନାଯୋଗ୍ୟ, ୨୦୧୩ରେ ମୁମ୍ବାଇସ୍ଥିତ ବାସଭବନରେ ୨୫ ବର୍ଷୀୟ ଜିଆ ଖାନ୍ଙ୍କୁ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବୟଫ୍ରେଣ୍ଡ୍ ସୂରଜ ପାଞ୍ଚୋଲି ଏବଂ ଜିଆଙ୍କ ମଧ୍ୟରେ ଥିବା ସମ୍ପର୍କରେ ସ୍ଥିରତା ନ ଥିଲା ବୋଲି ଜିଆ ଲେଖିଥିବା ଗୋଟାଏ ଚିଠିରୁ ଜଣାପଡ଼ିଥିଲା। ତେଣୁ, ଜିଆଙ୍କ ଆତ୍ମହତ୍ୟାର କାରଣ ବୋଲି ବିଚାରି ସୂରଜଙ୍କୁ ଗିରଫ କରାଯାଇଥିଲା। ‘ସିବିଆଇ’ କହିଥିଲା ଯେ, ଚିଠିରୁ ସେମାନଙ୍କର ନିବିଡ଼ ସମ୍ପର୍କ, ସୂରଜ ଦେଉଥିବା ଶାରୀରିକ ଉତ୍ପୀଡ଼ନ ଏବଂ ନିର୍ଯାତନା ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ସେଥିପାଇଁ ହିଁ ଜିଆ ଆତ୍ମହତ୍ୟା କଲେ। କିନ୍ତୁ, ୨୦୧୩ ଜୁନ୍ରେ ଗିରଫ ହୋଇଥିବା ସୂରଜଙ୍କୁ ୨୦୧୩ ଜୁଲାଇରେ ଜାମିନ ମଞ୍ଜୁର କରାଯାଇଥିଲା। ଏହି ମାମଲାର ପ୍ରମୁଖ ସାକ୍ଷୀ ଜିଆଙ୍କ ମାଆ ରାବିୟା ଖାନ୍ ଅଦାଲତଙ୍କୁ କହିଥିଲେ ଯେ, ଏଇଟା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ତାଙ୍କର ହୃଦ୍ବୋଧ ହେଉଛି।