ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିରେ ସାମିଲ ହେଲେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସ୍ୱାମୀ ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଜିନା ଓ ରୁଦ୍ରଙ୍କ ବ୍ୟତୀତ ଆହୁରି ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ସାମିଲ ହୋଇଛନ୍ତି ।
ବାଲେଶ୍ୱର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ସେହି ମିଶ୍ରଣ ପର୍ବରେ ଏମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଆଲବମ ଦୁନିଆରେ ବେଶ ଖ୍ୟାତି ଅର୍ଜନ କରିବା ପରେ ଜିନା, ଫେରିଆ ମୋ ସୁନାଭଉଣୀ ସିନେମା ଜରିଆରେ ଓଲିଉଡରେ ନାୟିକା ଭାବେ ଅଭିନୟ କରିଥିଲେ । ତାପରେ ଆଉ କୋତୋଟି ଓଡିଆ ଚଳଚିତ୍ରରେ ମଧ୍ୟରେ ଅଭିନୟ କରିଥିଲେ ।
ପରେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ ଜିନା । ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ଓଲିଉଡରେ ଏଂଟ୍ରି କରିଥିଲେ ରୁଦ୍ର । ଓଲିଉଡ୍ର ଲୋକପ୍ରିୟ କଳାକାର ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି ।