ଶିକ୍ଷା, ନିଯୁକ୍ତି, ସରକାରୀ ଯୋଜନା ସହ ସଂଯୋଗ ଓ ସମ୍ବେଦନଶୀଳତା ହିଁ ଆଣି ପାରିବ ପରିବର୍ତ୍ତନ: କେୟାର ଲିଭରମାନଙ୍କ ସମସ୍ୟାକୁ ନେଇ ଆଲୋଚନାଚକ୍ର

0

ଓଡିଆ ନ୍ୟୁଜ(ବ୍ୟୁରୋ): ସାବାଳକ ହୋଇ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରୁ ବାହାରିଲା ପରେ ଅନାଥ ବାଳକ ବାଳିକାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥି ମଧ୍ୟରୁ ପ୍ରମୁଖ ହେଲା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ, ଉଚ୍ଚ ଶିକ୍ଷା, ନିଯୁକ୍ତି, ନିଜର ଆବଶ୍ୟକୀୟ ପ୍ରମାଣପତ୍ର ଯୋଗାଡ଼ ଏବଂ ସାମାଜିକ ସୁରକ୍ଷା। ସେମାନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଥିଲେ ବି ଏହି ସାବାଳକ ବା କେୟାର ଲିଭରମାନଙ୍କ ଭିତରୁ ଅଧିକାଂଶ ଏହି ଯୋଜନାଗୁଡିକର ଲାଭ ଉଠାଇ ପାରୁ ନାହାନ୍ତି। ଶିକ୍ଷା, ନିଯୁକ୍ତି, ସରକାରୀ ଯୋଜନା ସହ ସଂଯୋଗ ଓ ସମ୍ବେଦନଶୀଳତା ହିଁ ସେମାନଙ୍କ ବର୍ତ୍ତମାନର ଅବସ୍ଥାରେ ପରିବର୍ତ୍ତନ ଆଣି ପାରିବ ବୋଲି ଓଡିଶା କେୟାର ଲିଭର୍ସ ଆସୋସିଏସନ ଓ ସାମାଜିକ ସଂଗଠନ ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ (YCDA)ତରଫରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ନିଜ ମତ ରଖି ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ୍ ମହାନ୍ତି କହିଛନ୍ତି ଯେ କେୟାର ଲିଭରମାନଙ୍କୁ ସଂଗଠିତ ରହି ନିଜ ଅବସ୍ଥା ଓ ଆବଶ୍ୟକତା ସମ୍ପର୍କରେ ସମାଜର ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ହେବ। ଆବଶ୍ୟକତା ଓ ସମ୍ବଳ ଭିତରେ ଥିବା ଦୂରତ୍ୱ କମା ଯାଇ ପାରିଲେ ହିଁ ସମସ୍ୟାର ପ୍ରକୃତ ସମାଧାନ ବାହାରି ପାରିବ।
ସମାଜସେବୀ ବିଜୟାଲକ୍ଷ୍ମୀ କର କେୟାର ଲିଭରମାନଙ୍କ ପ୍ରମାଣପତ୍ର ଓ ବ୍ୟାଙ୍କ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଇଥିଲେ। YCDAର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜେନ୍ଦ୍ର ମେହେର ସମ୍ବେଦନଶୀଳତା ସହ ସମାଜର ପ୍ରତିବର୍ଗ ଚାହିଁଲେ କେୟାର ଲିଭରମାନଙ୍କ ମୁଖ୍ୟସ୍ରୋତରେ ସାମିଲ ହେବା ସୁଗମ ହୋଇ ପାରିବ ବୋଲି ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଦ୍ୟୋଗୀ ମୋନାଲିସା ପଣ୍ଡା, ସ୍ତମ୍ଭକାର ଶୃତକୀର୍ତ୍ତି ତ୍ରିପାଠୀ, ଅର୍ଥନୀତିଜ୍ଞ ଡ଼ଃ ପ୍ରଦୀପ ପଣ୍ଡା, ଶିକ୍ଷାବିତ ଲଲାଟେନ୍ଦୁ ଆଚାର୍ଯ୍ୟ, ରୋଟାରିଆନ ମଧୁସ୍ମିତା ତ୍ରିପାଠୀ ଓ ମନୋଜ ତ୍ରିପାଠୀ କେୟାର ଲିଭରମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତ ରଖିଥିଲେ। ଏହି ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୦ ଜଣ କେୟାର ଲିଭର ଯୋଗ ଦେଇଥିଲେ। ସଂଘର ସଭାପତି ଡାନିଏଲ ସିରକା, ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, କୋଷଧକ୍ଷ ସୋନାଲି ମହାକୁଡ଼ ଓ ଟ୍ରଷ୍ଟି ସଦସ୍ୟ ଶେଖ କରିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.