ଗୋଖାଦ୍ୟ ‘ଚୋକଡ଼’ ଉପରେ ୪ ପ୍ରତିଶତ ଭାଟ ଲାଗୁ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋଖାଦ୍ୟ ‘ଚୋକଡ଼’ ଉପରେ ୪ ପ୍ରତିଶତ ମୂଲ୍ୟଯୁକ୍ତ କର (ଭାଟ) ଲାଗୁ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡିଶା ହାଇକୋର୍ଟ। ଭାଟ ନିୟମାବଳୀ ଅନୁସାରେ ଚୋକଡ଼ ଉପରେ କୌଣସି କର ଲାଗୁ କରାଯାଇ ନଥିଲା। କିନ୍ତୁ ଶିଳ୍ପ ସଂସ୍ଥାକୁ ‌ବିକ୍ରି କରାଯାଇଥିବା ଚୋକଡ଼ ଉପରେ ୪ ପ୍ରତିଶତ ଭାଟ ଲାଗୁ ପାଇଁ ବିକ୍ରିକର ବିଭାଗ ନିର୍ଦ୍ଦେଶ ଦେଇଥିଲା। ଚୋକଡ଼କୁ ଶିଳ୍ପସମ୍ବନ୍ଧୀୟ ଯୋଗାଣ (ଇନପୁଟ) ଭାବେ ଦର୍ଶାଇ ଏହା ଉପରେ ୪ ପ୍ରତିଶତ ଭାଟ ଲାଗୁ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କାମଧେନୁ କ୍ୟାଟଲ ଆଣ୍ଡ ପୋଲିଟ୍ରି ଫିଡ୍ ୟୁନିଟ ପକ୍ଷରୁ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ସଂସ୍ଥା ଗୋ-ଖାଦ୍ୟ ପ୍ରସ୍ତୁତ କରିଥାଏ। ୨୦୦୫-୦୬ରେ ଦାମନଯୋଡିସ୍ଥିତ ନାଲ‌କୋକୁ ୮୪୬୩.୪୦ କୁଇଣ୍ଟାଲ ଚୋକଡ଼ ୫୦,୫୩,୧୩୭ ଟଙ୍କା ବିନିୟମରେ ଆବେଦନକାରୀ ସଂସ୍ଥା ଯୋଗଣ କରିଥିଲା। ଓଡ଼ିଶା ଭାଟ ଆଇନ ଅନୁସାରେ ଚୋକଡ଼ ଉପରେ କର ଲାଗୁ ହେବା କଥା ନୁହେଁ। କିନ୍ତୁ ଚୋକଡ଼ ଶିଳ୍ପ ସଂସ୍ଥାକୁ ବିକ୍ରି କରାଯାଇଥିବାରୁ ଏହାକୁ ଶିଳ୍ପସମ୍ବନ୍ଧୀୟ ଯୋଗାଣ ଭାବେ ଦର୍ଶାଇ ୪ ପ୍ରତିଶତ କର ଲାଗୁ ପାଇଁ ବିକ୍ରିକର ବିଭାଗ ନିର୍ଦ୍ଦେଶ ଦେଇଥିଲା। ଭାଟ ଓ ଜରିମାନା ରାଶି ବାବଦରେ ୩ ଲକ୍ଷ ୮୬ ହାଜର ୨୪୫ ଟଙ୍କା ପଇଠ କରିବାକୁ ବିକ୍ରିକର ବିଭାଗ ଆବେଦନକାରୀ ସଂସ୍ଥାକୁ ନି‌ର୍ଦ୍ଦେଶ ଦେଇଥିଲା।

କୋରାପୁଟ ସର୍କଲ ବିକ୍ରି କର ଅଧିକାରୀଙ୍କ ଏହି ନିର୍ଦ୍ଦେଶ କୋରାପୁଟ ରେଞ୍ଜ ଯୁଗ୍ମ କମିସନରଙ୍କ ନିକଟରେ କାଏମ ରହିଥିଲା। ଏହାପରେ ବିକ୍ରି କର ଟ୍ରିବୁନାଲରେ ଆବେଦନକାରୀ ଦାୟର କରିଥିବା ଆବେଦନ ମଧ୍ୟ ଖାରଜ ହୋଇଥିଲା। ଟ୍ରିବୁନାଲଙ୍କ ୨୦୧୩, ଜୁଲାଇ ୨୪ ରାୟକୁ ଚାଲେଞ୍ଜ କରି ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

Leave A Reply

Your email address will not be published.