ଜିନ୍ଦଲ କମ୍ପାନୀ ଅଧିକାରୀଙ୍କୁ ଅପରିଷ୍କାର ନାଳରେ ପେଲିଦେଲେ ଉତ୍ୟକ୍ତ ଲୋକେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିନ୍ଦଲ କମ୍ପାନୀ ଅଧିକାରୀଙ୍କୁ ଅପରିଷ୍କାର ନାଳରେ ପେଲିଦେଲେ ଉତ୍ୟକ୍ତ ଲୋକେ | କହି କହି ଥକିଗଲେ, କିନ୍ତୁ ଜିନ୍ଦଲ କମ୍ପନୀ ଶୁଣିଲା ନାହିଁ। ଶେଷରେ କମ୍ପାନୀ ଅଧିକାରୀଙ୍କୁ ଅପରିଷ୍କାର ନାଳରେ ପେଲିଦେଲେ। ଏହା ଥିଲା ଲୋକଙ୍କ ଆକ୍ରୋଶ।

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ତଥା ବଡବିଲ ତହସିଲ ଅନ୍ତର୍ଗତ ଦେଓଝରରେ ଥିବା ଜିନ୍ଦଲ ପ୍ଲାଣ୍ଟ ଉପରେ ଲୋକଙ୍କ ଅସନ୍ତୋଷ ବଢୁଛି। ହେଲେ କମ୍ପାନୀ ଅଣଦେଖା କରିବାରୁ କମ୍ପାନୀର ଜଣେ ଅଧିକାରୀଙ୍କୁ ଅପରିଷ୍କାର ନାଳରେ ବୁଡ ପକାଇବାକୁ ପଡିଛି। ସୂଚନାନୁସାରେ ଦେଓଝର ସ୍ଥିତ ଜିନ୍ଦଲ ପ୍ଲାଣ୍ଟ କର୍ତ୍ତୃପକ୍ଷ ନିଜ ପ୍ଲାଣ୍ଟରୁ ବାହାରୁଥିବା ବିଷାକ୍ତ ପାଣି ନିକଟସ୍ଥ ମୂର୍ଗାନାଳରେ ଛାଡିବା ଫଳରେ ନାଳ ବିଷାକ୍ତ ହୋଇ ପଡୁଛି। ଯାହାଦ୍ବାରା ନାଳରେ ଥିବା ମାଛ ଗୁଡ଼ିକ ମରି ଯାଉଥିବା ବେଳେ ଏହି ନାଳପାଣି ପିଇବା ଯୋଗୁ ଗୃହପାଳିତ ପଶୁ ମଧ୍ୟ ମରିଥିବା ଅଭିଯୋଗ ହୋଇଛି। ଏହି ପାଣିରେ ଗାଧୋଇବା ଫଳରେ ଛୋଟ ଛୋଟ ପିଲାମାନେ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଜିନ୍ଦଲ ପ୍ଲାଣ୍ଟର ଅଧିକାରୀ ମାନେ ପ୍ରତିଥର ଆସି ଲୋକଙ୍କୁ ଭୁଆଁ ବୁଲାଇ ଚାଲି ଯାଆନ୍ତି।

ଯାହା ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଥିଲା। ସେହିକ୍ରମରେ ଲୋକଙ୍କ ଅଭିଯୋଗ ପାଇ ଶନିବାର ପ୍ଲାଣ୍ଟର କିଛି ଅଧିକାରୀ ନାଳ ପାଖକୁ ଆସି ଥିବା ବେଳେ ଲୋକେ ଜଣେ ଅଧିକାରୀଙ୍କୁ ସେହି ନାଳ ଭିତରକୁ ପେଲି ଦେଇଥିଲେ। ଯାହାର ଭିଡିଓ ଏବେ ଭାଇରଲ ହୋଇଛି। ଏଠାରେ ସୂଚନା ଥାଉ କି ଏହି ମୂର୍ଗାନାଳ ବୈତରଣୀ ନଦୀରେ ମିଶୁଥିବା ବେଳେ ଜିନ୍ଦଲ ପ୍ଲାଣ୍ଟ ଯୋଗୁ ଚିରସ୍ରୋତା ବୈତରଣୀ ନଦୀ ପ୍ରଦୁଷିତ ହୋଇ କେନ୍ଦୁଝର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଯାଜପୁର ମଧ୍ୟ ପ୍ରଭାବିତ ହେବ ବୋଲି ପରିବେଶବିତ୍ ଆଶଙ୍କା କରିଛନ୍ତି।

Leave A Reply

Your email address will not be published.