ନକଲି ସାମ୍ବାଦିକ ମାନଙ୍କ ଯାଞ୍ଚ ପାଇଁ ସାମ୍ବାଦିକଙ୍କ ଦାବି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାରେ ଠକ ସାମ୍ବାଦିକ ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଜାଲ ପ୍ରମାଣପତ୍ର ଦେଇ ସାମ୍ବାଦିକ ପରିଚୟ ହାସଲ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହି ସାମ୍ବାଦିକ ବୃତ୍ତିକୁ ଅପମାନିତ କରୁଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କରି ଉକ୍ତ ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଏନେଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ମଙ୍ଗଳବାର ବାରିପଦା ଠାରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦୁଇ ଜଣ ଠକ ସାମ୍ବାଦିକ ଦମ୍ପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପ୍ରଦତ୍ତ ପ୍ରମାଣ ପତ୍ର ସହିତ ସମ୍ପୃକ୍ତ ଗଣମାଧ୍ୟମ କାର୍ଯ୍ୟାଳୟରୁ ସତ୍ୟତା ଯାଞ୍ଚ ପରେ ୨ଜଣ ସାମ୍ବାଦିକ/ସାମ୍ବାଦିକାଙ୍କୁ ନକଲି ବୋଲି ଚିହ୍ନଟ କରି ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ସାମ୍ବଦିକ ତାଲିକାରୁ ବାଦ ଦିଆଯିବା ସହିତ ସମସ୍ତ କାର୍ଯ୍ୟାଳୟକୁ ଏ ବାବଦରେ ଅବଗତ କରାଯାଇଛି। ଏହିପରି କାର୍ଯ୍ୟକଳାପ ଦ୍ଵାରା ସାମ୍ବାଦିକ ବୃତ୍ତି କଳୁଷିତ ହେଉଛି। ତେବେ ଜିଲ୍ଲାରେ ଏହିପରି ଅନ୍ୟ କିଛି ଜାଲ ପ୍ରମାଣପତ୍ର ଦେଇ ଠକ ସାମ୍ବାଦିକ ହୋଇ ବୃତ୍ତିକୁ ଅପମାନିତ କରୁଛନ୍ତି। ଏଥି ସହିତ ସାମ୍ବାଦିକ ମାନଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ ହାତେଇବା ପରି ଏକ ଧର୍ତବ୍ୟ ଅପରାଧ କରୁଛନ୍ତି। ଏଥି ସହିତ ଧରା ପଡିଥିବା ଦୁଇ ସାମ୍ବାଦିକ ବିଗତ ୪ବର୍ଷ ଧରି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଠକି ସରକାରୀ ସୁବିଧା ନେଉଥିଲେ। ଏପରିକି ରାଜ୍ୟ ସରକାରଙ୍କ ପ୍ରଦତ୍ତ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ପାଇଥିଲେ। ଏଣୁ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ମିଳିତ ଭାବେ ନକଲି ସାମ୍ବାଦିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥାନାରେ ଏତଲା ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି।

ଏଥି ସହିତ ଜିଲ୍ଲାରେ ଥିବା ଠକ ସାମ୍ବାଦିକଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଯାଞ୍ଚ କରାଯାଇ ଆଗାମୀ ଦିନରେ ଏଭଳି କାର୍ଯ୍ୟରତ ନକଲି ସାମ୍ବାଦିକ ମାନଙ୍କୁ ଚିହ୍ନଟ ସହିତ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି।ଯାହା ଫଳରେ ଜିଲ୍ଲାରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ କମିବ। ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ତଥା ସ୍ବୟଂ ପରିଚାଳିତ ଓ୍ବେବ/ୟୁଟ୍ୟୁବ ଚ୍ୟାନାଲର ସମ୍ପାଦକ/ନିର୍ଦ୍ଦେଶକ ପରିଚୟ ଦେଇ ଏପରି ସାମ୍ବାଦିକ ପେଷାଗତ ସାମ୍ବାଦିକଙ୍କୁ ପଛରେ ପକାଇ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି। ମିଛ ଖବରଦାତା ମାନେ ନିଜ ଚାରି ଚକିଆ ଯାନ ଓ ବାଇକରେ ପ୍ରେସ ଲେଖି ଏହାର ଅପବ୍ୟବହାର କରିବାରେ ଲାଗିଛନ୍ତି। ଏଥିପ୍ରତି ପ୍ରଶାସନର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ନିବେଦନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ରାଧେଶ୍ୟାମ ପ୍ରଧାନ, ସତ୍ୟଜିତ ସୋମ, ମନୋଜ କୁମାର ପଣ୍ଡା, ରଞ୍ଜନ କୁମାର ଦାଶ, ସୁକାନ୍ତ କୁମାର ସାହୁ, ଅକ୍ଷୟ କୁମାର ଅଗ୍ରୱାଲ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରିୟବ୍ରତ ମିଶ୍ର, ଅଭିଜିତ ମହାନ୍ତି, ଦୀପକ କୁମାର ନାୟକ, ଦଳଗୋବିନ୍ଦ ବାରିକ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ଲକ୍ଷ୍ମଣ କୁମାର ଜେନା, ତରୁଣ କୁମାର ଦାଶ, ସୟେଦ ସିୟୁଉଦିନ, ବିଶ୍ବଜିତ ଭୁୟାଁ, ବିଶ୍ୱଜିତ ମହାନ୍ତି, ଦେବେନ୍ଦ୍ର ନାଥ ଦାଶ, ଦେବବ୍ରତ ଦେ, ଅଭିଷେକ ଖୁଣ୍ଟିଆ, ଶିବ ଶଙ୍କର ମାନ୍ନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.