କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଟିକେଟ ନ ମିଳିବାରୁ ବିଜେପି ଛାଡିଲେ ଫାଇଟର ରବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଉ ଦିନ କୋଇଟେ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ।  ଏହାରି ମଧ୍ୟରେ ରାଜନୈତିକ ପାରା ବଢୁଥିବା ବେଳେ ବିଜେପି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଥମ ଥର ପାଇଁ ବି‌ଜେପି ଭିତରେ ବଡ଼ ବିଦ୍ରୋହ ଦେଖିବାକୁ ମିଳିଛି। ଟିକେଟ ପାଇନଥିବା ନେତାମାନେ ଦଳ ବିରୋଧରେ ବିଦ୍ରୋହ କରିଥିବାରୁ ଏହା ବିଜେପିର ଅଙ୍କ ବିଗାଡ଼ି ଦେଇପାରେ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୨୧୩ଟି ଆ‌ସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ଗତକାଲି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଲକ୍ଷ୍ମଣ ସବାଦୀ କଂଗ୍ରେସରେ ଯୋଗ ଦେଇଥିଲେ । ଆଉ ଆଜି ବିଜେପି ନେତା ବିଏମ ମଲ୍ଲିକାର୍ଜୁନ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଏମ୍ ମଲ୍ଲିକାର୍ଜୁନା କର୍ଣ୍ଣାଟକରେ ‘ଫାଇଟର୍ ରବି’ ନାମରେ ମଧ୍ୟ ଜଣାଶୁଣା । ଏଥି ସହ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜଗଦୀଶ ସେଟ୍ଟାର ମଧ୍ୟ ଟିକେଟ ନ ପାଇ କ୍ରୋଧିତ ଅଛନ୍ତି। ଜଗଦୀଶଙ୍କୁ ଟିକେଟ୍ ଦେବାରେ ବିଳମ୍ବକୁ ବିରୋଧ କରି ହୂବଲି ଧରୱାଡ ମ୍ୟୁନିସିପାଲ କର୍ପୋରେସନର ୧୬ ଜଣ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହାରି ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ମଧ୍ୟ ବିଜେପି ଅଧ୍ୟକ୍ଷଙ୍କୁ ଚରମ ଚେତାବନୀ ଶୁଣାଇଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଟିକେଟ୍ ନ ଦେଲେ ବିଜେପିକୁ କ୍ଷତି ହିଁ ହେବ। ହୁବଲି-ଧରୱାଡର ବିଧାୟକ ସେଟ୍ଟାର କହିଛନ୍ତି ଯେ ବିଜେପି ତାଙ୍କୁ ଟିକେଟ ନ ଦେଲେ ୨୦ରୁ ୨୫ଟି ଆସନ ହରାଇବ। ସେ କହିଛନ୍ତି ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସେ ରବିବାର ପର୍ଯ୍ୟନ୍ତ ଦଳର ନିଷ୍ପତ୍ତିକୁ ଅପେକ୍ଷା କରିବେ।

ଏପଟେ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୩ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। କଂଗ୍ରେସ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଆଠାନି ଆସନରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କୋଲାର ଆସନରୁ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦିଆଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦୁଇଟି ପର୍ଯ୍ୟାୟରେ ତାଲିକା ପ୍ରକାଶ କରିଥିଲା । ମାର୍ଚ୍ଚ ୨୫ରେ କଂଗ୍ରେସ ୧୨୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ସେହିପରି ୪୨ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ୬ ଏପ୍ରିଲରେ ପ୍ରକାଶ ପାଇଥିଲା | ତୃତୀୟ ତାଲିକା ଅନୁଯାୟୀ ଶ୍ରୀନିବାସ କରିଆନାଙ୍କୁ ଶିମୋଗା ଗ୍ରାମୀଣ ଆସନରୁ ଏବଂ ଶିମୋଗା ଆସନରୁ ଏଚ୍.ସି ଯୋଗେଶଙ୍କୁ ପ୍ରାର୍ଥୀ କରାଯାଇଛି।

ବେଲାରୀରୁ ଦଳ ନାରା ଭାରତ ରେଡ୍ଡୀଙ୍କୁ ଟିକେଟ ଦେଇଛି। ଦଳ ଚିକ୍କାବାଲାପୁର ଆସନରୁ ପ୍ରଦୀପ ଇଶ୍ୱର, ବାଙ୍ଗାଲୋର ଦକ୍ଷିଣରୁ ଆର.କେ ରମେଶ, ହାସନ ଆସନରୁ ବନବାସୀ ରଙ୍ଗସ୍ୱାମୀ ଏବଂ ଚାମରାଜା ଆସନରୁ କେ ହରିଶ ଗୌଡାଙ୍କୁ ପ୍ରାର୍ଥୀ କରାଯାଇଛି। ପିସିସି ସଭାପତି ଡି.କେ ଶିବକୁମାର କନକାପୁରାରୁ ଏବଂ ସିଦ୍ଧରମେୟା ବରୁଣା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ସିଦ୍ଧରମେୟା କୋଲାର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯେଉଁଠାରୁ ଦଳ ବର୍ତ୍ତମାନ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦେଇଛି | ଉଲ୍ଲେଖ ଥାଉ କି ମଙ୍ଗଳବାର ଦିନ ବିଜେପି ୧୮୯ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା ।

Leave A Reply

Your email address will not be published.