ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଆଶଙ୍କା କରିଛି ଆପ୍। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ବିଗିଡ଼ି ଯାଇଛି ଯେ ସେ କୋମାକୁ ଚାଲି ଯାଇପାରନ୍ତି ବୋଲି ଦଳ ଦାବି କରିଛି। ଏଥିସହ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟକୁ ନେଇ ଆପ୍ ନେତା ସଞ୍ଜୟ ସିଂହ ତୀବ୍ର ସମାଲୋଚନା କରିଛନ୍ତି।
କେଜ୍ରିୱାଲ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସ୍ୱାଭାବିକ ଭାବେ କାମ କରୁଥିବା ତିହାର ଜେଲ ପକ୍ଷରୁ କୁହାଯାଇଥିଲା। ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ଏବଂ ତାଙ୍କ ରକ୍ତରେ ଶର୍କରା ସ୍ତର ୫୦ ମିଗ୍ରା/ ଡିଏଲରୁ ହ୍ରାସ ପାଇଛି।ଏହାଦ୍ୱାରା ସେ କୋମାକୁ ଚାଲି ଯାଇ ପାରନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇପାରେ ବୋଲି ସଞ୍ଜୟ ସିଂ ଆଶଙ୍କା କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ଜେଲ୍ରେ ୮.୫ କେଜି ଓଜନ ହରାଇଥିବା ନେଇ ଦାବି କରିଥିବା ସଞ୍ଜୟ ସିଂହ କହିଛନ୍ତି, ଜଣେ ଅନ୍ତେବାସୀଙ୍କ ମେଡିକାଲ ରିପୋର୍ଟ ରିଲିଜ କରିବା ଓ ସେ କରୁଥିବା
ଦାବି ସହ ଏକମତ ନ ହେବା ଭଳି ଅପରାଧ ତିହାର ଜେଲ କର୍ତ୍ତୃପକ୍ଷ କରିଛନ୍ତି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ଏମ୍ସର ଗୋଟିଏ ଡାକ୍ତରୀ ଟିମ କରୁଛନ୍ତି। ଯାଞ୍ଚରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ କେଜ୍ରିୱାଲଙ୍କ ଓଜନ ଦ୍ରୁତଗତିରେ ହ୍ରାସ ପାଉଛି ଓ ସେ hypoglycemiaରେ ପୀଡ଼ିତ। ତାଙ୍କ ରକ୍ତ ଶର୍କରା ୫୦mg/DLକୁ ୫ ଥର ଖସି ସାରିଲାଣି। ଏହାଦ୍ୱାରା ସେ କୋମାକୁ ଚାଲି ଯାଇ ପାରନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇପାରେ।