ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ; ଅପରାହ୍ନରେ ବାହୁଡ଼ା ପହଣ୍ଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହେବ । ଏନେଇ ୩ରଥର ସଜଡ଼ା ବା ମରାମତି କାର୍ଯ୍ୟ ଶେଷ ହୋଇଛି । ଏଠାରେ ରଥ ଦକ୍ଷିଣମୋଡ କାର୍ଯ୍ୟକ୍ରମରେ ରଥକୁ ନବୁଲାଇ, ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇଛି । ଆଜି ପୂର୍ବାହ୍ଣ ୯ଟାରେ ତିନିଦିଅଁଙ୍କର ଦ୍ୱାରିକା ବା ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ତିନିଦିଅଁ ରାଧାମୋହନ ମନ୍ଦିର(ମାଉସୀ ମା’ ମନ୍ଦିର) ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି । ଭକ୍ତ ଗଣ ଧାଡିରେ ଯାଇ ଦର୍ଶନ କରୁଛନ୍ତି । ଏହା ପରେ ସର୍ବସାଧାରଣଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ ଜାରି ରହିଛି । ତାପରେ ଅଢ଼େଇଟାରୁ ଅଁଳାଭେଟି, ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପରେ ଠାକୁରମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯିବ ବୋଲି ପରିଚ୍ଛା ଦୁର୍ଗାଚରଣ ଜିତବାବୁଙ୍କ ପାଖରୁ ଜଣାପଡିଛି । ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ । ଏହାପରେ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ । ବୁଧବାର ଅନ୍ତିମ ଦିନରେ ସୁଭଦ୍ରା ରଥ ସହି ବଳଭଦ୍ରଙ୍କ ରଥ ଟଣାଯାଇ ଶ୍ରୀମନ୍ଦିର ପହଞ୍ଚିବ ।

ଅନୁରୂପ ସାନ ଜଗନ୍ନାଥ ମହାପ୍ରଭୁଙ୍କର ରୂପା ବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇ ଦିଅଁଙ୍କୁ ରଥାଋଢ଼ କରାଯିବ । ଗୁରୁବାର ପୂର୍ବାହ୍ନରେ ପରମ୍ପରା ଅନୁସାରେ ପିଲାମାନେ ରଥ ଟାଣି ବାହୁଡାଇ ନେବେ । ଅପରପକ୍ଷରେ ବଡ଼ଦାଣ୍ଡ ସମେତ ସହରରେ ରଥଯାତ୍ରା ମେଳାରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ସମାଗମ଼ ଲାଗିରହିଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଛୁଟିଦିନ ପାଇଁ ସିନେମା ହଲ ସର୍କସ ଓ ଦୋଳି ତଥା ମେଳା ପଡିଆରେ ଭିଡ ଲାଗିଛି ।

Leave A Reply

Your email address will not be published.