କଲର୍ସ ଟିଭିରେ ରୋହିତ ଶେଟ୍ଟୀଙ୍କ ଦ୍ୱାରା ଆୟୋଜିତ ଷ୍ଟଣ୍ଟ ଭିତ୍ତିକ ରିଆଲିଟି ସୋ ‘ଖତରୋକେ ଖିଲାଡି 11’ ର ବିଜେତା ଅର୍ଜୁନ ବିଜଲାନି ହୋଇଛନ୍ତି | କିଛି ମାସ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଖତରୋକେ ଖିଲାଡି 11 ର ସୁଟିଂ କରାଯାଇଥିଲା | ମଙ୍ଗଳବାର ଦିନ ଏହାର ଫାଇନାଲ୍ ଏପିସୋଡ୍ ମୁମ୍ବାଇରେ ସୁଟିଂ କରାଯାଇଥିଲା ଯେଉଁଠାରେ ଅର୍ଜୁନଙ୍କୁ ବିଜେତା ଘୋଷିତ କରାଯାଇଥିଲା । ଫାଇନାଲ୍ ଏପିସୋଡ୍ ସେପ୍ଟେମ୍ବର 25 ଏବଂ ସେପ୍ଟେମ୍ବର 26 ରେ କଲର୍ସ ଟିଭିରେ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ , ଅର୍ଜୁନ ବିଜଲାନି ଙ୍କ ପତ୍ନୀ ନେହା ଟ୍ରଫିର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ମାତ୍ର ଚ୍ୟାନେଲ ରେ ବିଜେତାଙ୍କ ବିବରଣୀ ଏପର୍ଯ୍ୟନ୍ତ ଘୋଷଣା କରି ନ ଥିବାବେଳେ ଅର୍ଜୁନଙ୍କ ପତ୍ନୀ ଏବଂ ପ୍ରଶଂସକମାନେ ଅଭିନନ୍ଦନ ବାର୍ତ୍ତା ଦେଇ ସୋସିଆଲ ମିଡିଆରେ ପାଣି ପୁରେଇଦେଇଛନ୍ତି।

ଇନଷ୍ଟାଗ୍ରାମ ରେ ଅର୍ଜୁନଙ୍କ ପତ୍ନୀ ନେହା ବିଜଲାନି ଲେଖିଛନ୍ତି, ମୁଁ ମୋର ଜାନ ତୁମ ପାଇଁ ଗର୍ବିତ … ମୁଁ ଜାଣେ ତୁମେ ପ୍ରକୃତରେ କ’ଣ କରିଛ | ତୁମେ ଦୁନିଆର ସମସ୍ତ ସୁଖ ପାଇବାକୁ ଯୋଗ୍ୟ । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଟ୍ରଫିର ଏକ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଅର୍ଜୁନ ତାଙ୍କ ବିଜୟ ଉତ୍ସବ ପାଳନ କରିବା ପାଇଁ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ‘ଖତରୋକେ ଖିଲାଡି’ ର ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ପାର୍ଟି ରେ ଉପସ୍ଥିତ ଥିଲେ।