ଓଡିଆ ନ୍ୟୁଜ୍(ବ୍ୟୁରୋ): ପରକୀୟା ପ୍ରୀତି ହଉ କି ଲଭ ସେକ୍ସ ଧକା ଏସବୁ ଆଜିକାଲି ନିତି ଦିନିଆ ଘଟଣା ହୋଇଗଲାଣି ।ପରକୀୟ ପ୍ରୀତି ଯୋଗୁ ଅନେକଙ୍କ ସୁନାର ସଂସାର ଉଜୁଡୁଛି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କ ହତ୍ୟା ଭଳି ଘଟଣା ସାମନାକୁ ଆସୁଛି । ପୁଣି ଥରେ ତ୍ରିକୋଣୀୟ ପ୍ରେମ ଯୋଗୁ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେବା ଘଟଣା ସାମନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଦୁବୁଲାବେଡା ଅଂଚଳରେ।
ବର୍ଷକ ତଳେ କଣ୍ଟାବଣି ଗ୍ରାମର ସୁବାସିନୀ ମାଝୀଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ମହିଳା ଜଣକ ସ୍ୱାମୀଙ୍କ ସାଙ୍ଗ ଦାସମାତ ମାଝୀଙ୍କ ସହ ଗୃହ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ ସେହି ସାଙ୍ଗରେ କାମ କରିବା ଭିତରେ ଉଭୟ ଦାସମାତ ଓ ସୁବାସିନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା , ସମ୍ପର୍କ ଏତେ ନିବିଡ଼ ହୋଇଗଲା ଯେ ଦାସମାତ ଯେତେବେଳେ ଯେଉଁଠି ଡାକେ ନିମିଷକେ ପହଁଚି ଯାଉଥିଲା। ହେଲେ ମଝିରେ ସୁବାସିନୀ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିବା କଥା ଜାଣିବା ପରେ ଦାସମାତ ରାଗରେ ଜଳିବାକୁ ଲାଗିଲା।
ଅନ୍ୟ ଯୁବକଙ୍କ ସହ ମିଳାମିଶା କଥାବାର୍ତା ହେଉଥିବା ଦେଖି ରକ୍ତମୁଖା ହୋଇ ଉଠିଥିଲା ପ୍ରେମିକ ଦାସମାତ । ଦିନେ ରାତି ୮.୩୦ (ମେ ୧୪ ) ରେ ପ୍ରେମାଳାପ ବାହାନାରେ ଡାକିଲା ଦୁବୁଲାବେଡା ସ୍କୁଲ ନିକଟକୁ। ଶାରୀରିକ ସମ୍ପର୍କ ଭି ରଖିଲା । ଆଉ ତାପରେ ଅନ୍ୟ ଯୁବକ ସହ ମିଶିବା କଥା ଉଠାଇ ନୃଶଂସ ଭାବେ ପଥରରେ ଛେଚି ଛେଚି ହତ୍ୟା କରିଥିଲା ।
ପ୍ରମାଣ ନଷ୍ଟ ପାଇଁ ମୃତ୍ୟଦେହ ବୁଦାରେ ଲୁଚାଇ ଦେଇ ବ୍ୟବହୃତ ପଥରକୁ ପୋଖରୀରେ ଫିଙ୍ଗି ଦେଇଥିଲେ ।ମେ ୧୮ରେ ପୋଲିସକୁ ଏକ ଅଜଣା ଶବ ମିଳିଥିଲା ଓ ପରେ ପ୍ରେମ ଜନିତ ହତ୍ୟାକାଣ୍ଡ ସନ୍ଦେହ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମହିଳାଙ୍କ ପରିଚୟ ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବା ନେଇ ସହଜ ହେଲା। ପୋଲିସ ଅଭିଯୁକ୍ତ ଦାସମାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।