ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପୁରୁଷ ଦିନିକିଆ ବିଶ୍ବକପ୍। ଏଥିପାଇଁ ଗତକାଲି ଏକ ୨ମିନିଟ୍ ବିଶିଷ୍ଟ ପ୍ରମୋ ଭିଡିଓ ରିଲିଜ୍ ହୋଇଛି। ଲୋକପ୍ରିୟ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ଏଥିରେ କଣ୍ଠଦାନ କରିବା ସହ ବିଶ୍ବକପ୍ ଟ୍ରଫି ସହ ଦୃଶ୍ୟମାନ ହେଉଛନ୍ତି। ଏହି ପ୍ରମୋରେ ବିରାଟଙ୍କ ଫ୍ୟାନ୍ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ରହ୍ମପୁର ଉପଖଣ୍ଡ କୁକୁଡ଼ାଖଣ୍ଡି ବ୍ଲକ୍ ମସିହାଖାଲି ଅଞ୍ଚଳର ପିଣ୍ଟୁ ବେହେରାଙ୍କ ଟାଟୁ ଦୃଶ୍ୟମାନ ହେଉଛି। ପିଣ୍ଟୁ ନିଜ ପିଠିରେ ଖୋଦେଇ ଥିବା ବିରାଟ କୋହଲିଙ୍କ ଜର୍ସି ନମ୍ବର ୧୮ଲେଖାଥିବା ଟାଟୁଟି ଉକ୍ତ ପ୍ରମୋ ଭିଡିଓର ୩୮ସେକେଣ୍ଡରେ ଏବଂ ଛାତିରେ ଖୋଦେଇ ଥିବା ବିରାଟଙ୍କ ଚେହେରାର ଟାଟୁ ୪୦ସେକେଣ୍ଡରେ ପ୍ରଦର୍ଶିତ ହେଉଛି। ବିରାଟ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂରେ ପ୍ରଭାବିତ ହୋଇ ପିଣ୍ଟୁ ତାଙ୍କର ଫ୍ୟାନ୍ ହୋଇଯାଇଥିଲେ। ୨୦୧୨ମସିହାରୁ ନିଜ ଶରୀରରେ ବିରାଟଙ୍କୁ ଉତ୍ସର୍ଗ କରି ଗୋଟିଏ ପରେ ଗୋଟିଏ ମୋଟ ୧୬ଟି ଟାଟୁ ଖୋଦେଇଛନ୍ତି ସେ। ସେଥିରେ କୋହଲି ଜିତିଥିବା ୧୯ବର୍ଷରୁ କମ୍ ବିଶ୍ବକପ୍ ଟ୍ରଫିଠାରୁ ଆରମ୍ଭ କରି ଜର୍ସି ନମ୍ବର, ପୋଷାକର ଲୋଗୋ, ବିଭିନ୍ନ କୃତିତ୍ବ, କୋଲକାତାଠାରେ କିମ୍ବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ ସମ୍ମାନ ପ୍ରଦର୍ଶନ ଆଦି ଟାଟୁ ରହିଛି।
୨୦୧୯ ଅକ୍ଟୋବର ୧ରେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ୍ ମ୍ୟାଚ୍ ବେଳେ ପିଣ୍ଟୁ ବିରାଟଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ସେ ସାର୍ଟ ଖୋଲି ନିଜ ଟାଟୁ ବିରାଟଙ୍କୁ ଦେଖାଇଥିବା ବେଳେ, ବିରାଟ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତାଙ୍କୁ କୋଳେଇ ନେଇଥିଲେ। ଏହାଥିଲା ତାଙ୍କ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତ ବୋଲି ପିଣ୍ଟୁ ପ୍ରକାଶ କରିଛନ୍ତି। ଗତ ମାସରେ ଆଇସିସି ବିଶ୍ବକପ୍ ପ୍ରମୋର ସୁଟିଂ ପାଇଁ ମୁମ୍ବାଇ ଯିବା ପାଇଁ ତାଙ୍କୁ ଡାକରା ଆସିଥିଲା। ଏହାକୁ ବଡ଼ ସୌଭାଗ୍ୟ ଭାବି ତୁରନ୍ତ ରାଜି ହୋଇଯାଇଥିଲେ ସେ। ଗତ ୨୬ତାରିଖରେ ସେଠାରେ ପୂରା ଗୋଟିଏ ଦିନ ତାଙ୍କର ସୁଟିଂ ହୋଇଥିଲା। ସେଥିରୁ ଦୁଇଟି ସଟ୍ ଏବେ ରିଲିଜ୍ ହୋଇଥିବା ପ୍ରମୋରେ ସ୍ଥାନ ପାଇଛି। ଆଗାମୀ ଦିନରେ ଆଇସିସିର ବିଶ୍ବକପ୍ ସମ୍ପର୍କିତ ଅନ୍ୟ ପ୍ରମୋ ଅବା ବିଜ୍ଞାପନରେ ଅନ୍ୟଗୁଡ଼ିକ ସ୍ଥାନ ପାଇପାରେ ବୋଲି ପିଣ୍ଟୁ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ଯିବା ଆସିବା ରହଣି ଆଦି ସମସ୍ତ ଖର୍ଚ୍ଚ ଆଇସିସି ବହନ କରିଥିଲା। ଗତବର୍ଷ ମଧ୍ୟ ଆଇପିଏଲ୍ ପ୍ରମୋ ପାଇଁ ମଧ୍ୟ ତାଙ୍କୁ ଡାକରା ଆସିଥିଲା। ସେଥିରେ ସେ ନିଜର ଶରୀରରେ କରିଥିବା ଟାଟୁ ପ୍ରଦର୍ଶନ କରିଥିଲେ।