ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଦଳିଲେ କୋଇଡାର ବିବାଦୀୟ ବିଡିଓ ପଲ୍ଲବୀରାଣୀ ରାଜ। ସମ୍ବଲପୁର ଆରଡିସି କାଯ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ଦୁର୍ବ୍ୟବହାର ସହ ଏମଏଲଏ ଫଣ୍ଡ କାର୍ଯ୍ୟକାରି ନକରିବା ନେଇ ଥିଲା ଅଭିଯୋଗ । ଗତ ବିଧାନସଭାରେ ବିଡିଓଙ୍କ ବଦଳି ପାଇଁ ଦାବି କରିଥିଲେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ବିରୋଧୀ ଦଳ ବିଧାୟକ । ନିକଟରେ ପଲ୍ଲବୀଙ୍କୁ ମାଡ଼ମାରି ଗିରଫ ହୋଇଥିଲେ ତାଙ୍କ ବାପା ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ୧୨ ଓଡ଼ିଶା ପ୍ରସାସନିକ ଅଧିକାରୀ ବା ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ଯେଉଁଥିରେ ପଲ୍ଲବୀ ରାଣୀ ରାଜ ରହିଛନ୍ତି। ତାଙ୍କୁ କୋଇଡାରୁ ସମ୍ବଲପୁର ବଦଳି କରାଯାଇଛି। ସଂପୃକ୍ତ ବିଡିଓ ନିକଟରେ ଭିନ୍ନ ଭିନ୍ନ ମାମଲାରେ ଛନ୍ଦି ହୋଇପଡ଼ିଥିଲେ। ଏମିତିକି କୋଇଡାର ହଜାର ହଜାର ଲୋକ ଏକାଠି ହୋଇ ତାଙ୍କୁ ବଦଳି କରିବାକୁ ଯାଇ ଆନ୍ଦୋଳନ କରିଥିଲେ। ଏହାପରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଇ ତାଙ୍କୁ ବଦଳି କରିଛନ୍ତି। ପଲ୍ଲବୀ ରାଣୀ ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ନିକଟରେ ମାମଲା ଦାୟର କରିଥିଲେ। ଭାଇ ଓ ବାପା ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଥିଲେ। ସେହିପରି ସାଧାରଣ ଲୋକ ଓ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, ବିଧାୟକ ପାଣ୍ଠିର ଅପବ୍ୟବହାର, ଦୁର୍ନୀତିରେ ସମ୍ପୃକ୍ତି, ଏବଂ ବ୍ଲକରେ ବିକାଶମୂଳକ କାମକୁ ଅଟକାଉଥିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଶ୍ରୀମତୀ ରାଜଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟରେ ଅବସ୍ଥାପିତ କରାଯାଇଛି। ସମ୍ବଲପୁର ଆରଡିସି (ଏନଡି)ରେ ତାଙ୍କର ପୋଷ୍ଟିଂ କରାଯାଇଛି।
ପଲ୍ଲବୀଙ୍କ ବ୍ୟତୀତ ଅନୁସୁଟିତ ଜାତି ଜନଜାତି କଲ୍ୟାଣ ବିଭାଗର ଅନୁସଚିବ ମାନସ ସ୍ବାଇଁକୁ ଭୁବନେଶ୍ବର ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ତହସିଲଦାର ଦାୟିତ୍ୱରେ ଥିବା ପ୍ରଦୀପ ସାହୁଙ୍କୁ ଅନ୍ୟ ନିଯୁକ୍ତ ମିଳିବା ଯାଏ ସାଧାରଣ ପ୍ରଶାସନ ବିଭାଗରେ ଅବସ୍ଥାପିତ କରାଯାଇଛି। ଏହାବାଦ ସୋନପୁର ସହକାରୀ ଜିଲ୍ଲାପାଳ ଅଭିଳାଶ ପୂରୋହିତଙ୍କୁ ଖପ୍ରାଖୋଲ ବିଡିଓ ଭାବେ ବଦଳି କରାଯାଇଛି। ପଟ୍ଟାମୁଣ୍ଡାଇ ତହସିଲଦାର କ୍ଷୀରୋଦ ଦାସଙ୍କୁ ଯାଜପୁର ଉପଜିଲ୍ଲାପାଳ, ବାମଡା ତହସିଲଦାର ଅନିଲ କୁଲ୍ଲୁଙ୍କୁ ତରଭରା ବିଡିଓ, ରଜଗାଙ୍ଗପୁର ବିଡିଓ ସମୀର ବେହେରାଙ୍କୁ ପଟ୍ଟମୁଣ୍ଡାଇ ତହସିଲଦାର ବଦଳି କରାଯାଇଛି।