ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସାରା ରାଜ୍ୟରେ ଆଜି ପାଳନ ହେଉଛି କୁମାର ପୂର୍ଣ୍ଣିମା । କୁମାରୀମାନଙ୍କ ବଡ ପର୍ବ କୁମାର ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଆଧାରରେ କାହିଁ କେଉଁ କାଳରୁ ପାଳନ ହୋଇଆସୁଛି ଏହି ପର୍ବ । ପ୍ରତିଟି କୁମାରୀ ପାଇଁ ଏହି ପର୍ବର ରହିଥାଏ ଏକ ବିଶେଷ ମହତ୍ତ୍ବ । ରୋଗରୁ ମୁକ୍ତ ଧନପ୍ରାପ୍ତ ଓ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବର ପାଇବା ବିଶ୍ବାସରେ ଓଡିଆ ଘରର ଝିଅମାନେ ଏହି ବ୍ରତ ଖୁବ ନିଷ୍ଠାର ସହ କରିଥାନ୍ତି । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳିତ ହୁଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ।
ଏହିଦିନ ମା’ ଲକ୍ଷ୍ମୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟଙ୍କୁ ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ବୋଲି କୁହାଯାଏ। ଏହିଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ। ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା।
ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ତୁଳସୀ ଚଉରାକୁ ପୂଜା କରିଥାନ୍ତି। ଏହି ଦିନ କୁମାରୀମାନେ ଭୋର୍ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପିନ୍ଧନ୍ତି। ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି। ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ। ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି। ଏହିଦିନ କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି। ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ। ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି। ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପିନ୍ଧି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି।ଅନ୍ୟପଟେ ଆଜି ଜହ୍ନି ଓଷାର ଶେଷ ଦିନ ହୋଇଥିବା ବେଳେ ସକାଳୁ ପ୍ରତ୍ୟେକ ଓଡିଆ ଘରର କୁମାରୀ ମାନେ ନୂତନ ବସ୍ତ୍ର ପରିଧାନ କରି ସକାଳୁ ଲିଆ(ଖଇ), ନଡ଼ିଆ, ଗୁଆ ଓ ବିଭିନ୍ନ ପ୍ରକାର ଫଳମୂଳର ଅଞ୍ଜଳି ଟେକି ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବ ସହ ଉତ୍ସାହର ସହିତ ଏହି ପାଳନ କରିଥାନ୍ତି