ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଡ଼ବଡ଼ିଆ ପଇସାବାଲାଙ୍କୁ ସେକ୍ସ ଜାଲରେ ଫସାଇ ବ୍ଲାକମେଲିଂ କରୁଥିବା ଅର୍ଚ୍ଚନା ନାଗକୁ ପୁଲିସ ଗିରଫ କରି ଆଜି ଜେଲ୍ ପଠାଇଛି । କୁଆଡ଼େ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା କମେଇଛି ଏହି ଲେଡି ବ୍ଲାକମେଲର । ଭୁବନେଶ୍ୱରରେ କରିଛି ଆଲିସାନ କୋଠା, ଗୋଛା ଗୋଛା ଦାମୀ ଗାଡ଼ି, ଫାର୍ମହାଉସ୍, କାର୍ ସୋ ରୁମ୍ ଏମିତି କେତେ କ’ଣ । ୫ ବର୍ଷରେ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ବନିଯାଇଛି ।
ବହୁ ପଇସାବାଲା ନେତା, ବ୍ୟବସାୟୀ, ବିଲଡର୍, ଫିଲ୍ମ ପ୍ରଯୋଜକଙ୍କୁ ସେ ସେକ୍ସ ଜାଲରେ ଫସାଇ ଆସୁଥିଲା । ଆଗରୁ ଥରେ ଦି ଥର ଏହି ମହିଳା ବିରୋଧରେ ପୁଲିସରେ ଅଭିଯୋଗ ହୋଇଥିଲା । ମାତ୍ର ଚାପ ପକାଇ ଖସିଯାଉଥିଲା । ମାତ୍ର ଏଥର ତା’ର ବେଳା ଖରାପ ପଡ଼ିଗଲା । ଓଲିଉଡ୍ ର ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବାର ଧମକ ଦେଇ ତିନି କୋଟି ଟଙ୍କା ମାଗିବା ତାକୁ ମହଙ୍ଗା ହେଲା । ନୂଆପଲ୍ଲୀ ଥାନାରେ ଶ୍ରୀ ପରିଜାଙ୍କ ଏତଲାକ୍ରମେ ପୁଲିସ ସପ୍ତାହେ କାଳ ଛାନଭିନ କରି ତାକୁ ଧରିଲା । ତେବେ ଗଣମାଧ୍ୟମକୁ ଲୁଚାଇ ତରବରିଆ ଭାବେ କୋର୍ଟ ଚାଲାଣ କରିବା ପଛର ରହସ୍ୟକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
ଏହି ଲେଡି ବ୍ଲାକମେଲର୍ ଙ୍କ ବ୍ଲାକମେଲିଂ ସମ୍ପର୍କରେ ଜଣେ ପୁଲିସ ଅଧିିକାରୀ ବଢ଼ିଆ ସୂଚନା ଦେଇଛନ୍ତି । ସେ ନିଜକୁ ଓକିଲ ଏବଂ ଏକ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ଭାବେ ପରିଚୟ ଦେଉଥିଲା । ପଇସାବାଲା ନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ ଏପରିକି ପୁଲିସ ଅଫିସରଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲା । ବନ୍ଧୁ ହେଲା ପରେ ଫୋନ୍ ନମ୍ବର ମାଗି କଥା ହେଉଥିଲା । ତା’ ପ୍ରେମରେ ଯିଏ ପଡୁଥିଲେ ତାଙ୍କୁ ନିଜ ଘରକୁ ଡାକି ଅନ୍ତରଙ୍ଗ ମୁହୁର୍ତ୍ତ କାଟୁଥିଲା । ସେହି ଘରେ ଏକ ଗୁପ୍ତ କ୍ୟାମେରା ଲଗେଇଥିଲା । ପରବର୍ତ୍ତୀ ସମୟରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଦେଖାଇ ଡରୋଉଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା ।