ମାୟାବିନୀ ଅର୍ଚ୍ଚନା ନାଗର ଘଟଣା ଦିନକର ନୁହେଁ ସେ ଦୀର୍ଘଦିନ ହେଲା ଏହି ରାକେଟ ଚଳାଇଛି: ଆଇନଜୀବୀ ଧରଣୀଧର ନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାୟାବିନୀ ଅର୍ଚ୍ଚନା ନାଗର ମାୟା ଜାଲରେ ଛନ୍ଦି ହୋଇଛନ୍ତି ରାଜନେତା, ସୁନା ବ୍ୟବସାୟୀ, ହୋଟେଲ ମାଲିକ ଓ ବିଭିନ୍ନ ଭିଆଇପି। ଅର୍ଚ୍ଚନା ନାଗ ନାଁରେ ଦୁଇଟି ମାମଲା ହୋଇଥିବା ବେଳେ ଆଉ କିଏ ତା ବ୍ଲାକମେଲର ଶିକାର ହୋଇଛି ଅଭିଯୋଗ କରିବାକୁ ନିବେଦନ କରିଛି କମିଶନରେଟ ପୋଲିସ। ଏଭଳି ଘଟଣା ଦିନକର ନୁହେଁ ସେ ଦୀର୍ଘଦିନ ହେଲା ଏହି ରାକେଟ ଚଳାଇଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଅନେକ ଲୋକ ବ୍ଲାକମେଲର ଶିକାର ହୋଇଥିଲେ ମଧ୍ୟ ମାନ ସମ୍ମାନକୁ ଡରି କେହି ପଦାକୁ ବାହାର କରି ନାହାନ୍ତି। ଏହି ଚେର ଏତେ ଲମ୍ବା ଯେ ତାକୁ ତଦନ୍ତ କରିବାକୁ ବହୁ ସମୟ ଲାଗିବ। ବହୁ ଭିଆଇପି ସଂପୃକ୍ତ ଥିବାରୁ ତଦନ୍ତ ଠିକ ବାଟରେ ହେଉ ନ ଥିବା ଅଭିଯୋଗ ହେଉଛି। ଏହା ପୋଲିସ ପାଇଁ ଏକ ଚାଲେଞ୍ଜ।

କାଷ୍ଟିଂ କାଉଚ୍ ଭଳି ଶବ୍ଦ ଆଇନରେ ନାହିଁ। ସିନେମାରେ ଅଭିନୟ କରାଇ ଦେବାକୁ କହି ଶାରୀରିକ ସମ୍ପର୍କ ରଖିବା ବା କିଛି ପାଇବା ଆଶାରେ ଯେଉଁ ପ୍ରାପ୍ତ ବୟସ୍କା ଯୁବତୀ ସମ୍ପର୍କ ରଖୁଛନ୍ତି ସେମାନଙ୍କ ନାମରେ ଆଗ ମାମଲା ହେବା କଥା। ପାଠ ଶାଠ ପଢିଥିବା ଝିଅ ଏଭଳି ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ବ୍ଲାକମେଲ କରିବା ବଡ଼ ଅପରାଧ। ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ କରୁଛି। ଯେହେତୁ ଅର୍ଚ୍ଚନା ନାଗଙ୍କର ଜଣା ଆୟରୁ ଢେର ଅଧିକ ସମ୍ପତ୍ତି ସେ କରିଛନ୍ତି, ତେଣୁ ସେ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ତଦନ୍ତ କରିବା ଉଚିତ। ଏହା ସହିତ ତାଙ୍କୁ ବଡ଼ ଲୋକ ହେବାରେ କେଉଁମାନେ ସହଯୋଗ କରିଥିଲେ ସେ ସମ୍ପର୍କରେ ତଦନ୍ତ ହେବା ଆବଶ୍ୟକ। ସଠିକ ତଦନ୍ତ କଲେ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ।

ଏଭଳି ଅନେକ ଅର୍ଚ୍ଚନା ନାଗ ଥାଇ ପାରନ୍ତି। ଅନେକ ଲୋକ ବ୍ଲାକମେଲ ଶିକାର ହେଉଥିଲେ ମଧ୍ୟ ଅଭିଯୋଗ କିମ୍ବା କ୍ୟାମେରା ସମ୍ମୁଖକୁ ଆସୁ ନାହାନ୍ତି। ସଠିକ ତଦନ୍ତ ହୋଇ ଉପଯୁକ୍ତ ଦଣ୍ଡ ମିଲିଲେ ଏଭଳି ବ୍ଲାକମେଲ ଥିଓରୀରେ ଲଗାମ ଲାଗି ପାରିବ। ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସହ ତାଙ୍କ ସ୍ୱାମୀ ଓ ଅନ୍ୟ ସହଯୋଗୀଙ୍କୁ ଜେରା ଓ ମୁହାଁମୁହିଁ ଜେରା କରାଯିବା ଦରକାର ବୋଲି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ ମତ।

Leave A Reply

Your email address will not be published.