ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଞ୍ଜାବ ସ୍ଥିତ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଭୟାଙ୍କର ଗୁଳିକାଣ୍ଡ । ୪ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଚଳ ସିଲ କରି ତଦନ୍ତ କରୁଛି କୁଇକ୍ ରିଆକ୍ସନ୍ ଟିମ । ଆଜି ଭୋର ୪.୩୫ରେ ଭଟିଣ୍ଡା ସାମରିକ କେନ୍ଦ୍ରରେ ଗୁଳିକାଣ୍ଡ ଘଟି ’୮୦ ମିଡିୟମ୍ ରେଞ୍ଜ୍’ର ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ପାହାନ୍ତ ୪.୩୫ରେ ସାମରିକ କେନ୍ଦ୍ର ଭିତରେ ଗୁଳିକାଣ୍ଡ ଘଟିବା କଥା ରିପୋର୍ଟ ହେବା ପରେ ଉକ୍ତ କେନ୍ଦ୍ରର ‘କୁଇକ୍ ରିଆକ୍ସନ୍ ଟିମ୍’ ତତ୍ପର ହୋଇ ସେ ଅଞ୍ଚଳକୁ କର୍ଡନ୍ କରି ସିଲ୍ କରି ପକାଇଛି। ସଦ୍ୟତମ ସୂଚନା ଅନୁସାରେ, ସାମରିକ କେନ୍ଦ୍ରର ଅଫିସର୍ସ ମେସ୍ ଭିତରେ ଗୁଳିକାଣ୍ଡ ଘଟିଛି। ନିହତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଉଦ୍ୟମ ଚାଲିଛି। ଗୁଳି ଚଳାଇଥିବା ବ୍ୟକ୍ତିଜଣକ ବେସାମରିକ ପୋଷାକ ପିନ୍ଧିଥିଲେ ବୋଲି କୁହାଯାଉଛି। କିନ୍ତୁ, ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପଞ୍ଜାବ ‘ଏସ୍ଏସ୍ପି’ କହିଛନ୍ତି। ସେ କହିଛନ୍ତି, ଗୁଳିକାଣ୍ଡ ଟଘଣା ଆତଙ୍କବାଦୀ ଆକ୍ରମଣ ନୁହେଁ। ଏହା ଆତଙ୍କବାଦୀ ଆକ୍ରମଣ ପରି ମନେ ହେଉନାହିଁ। ସହକର୍ମୀ ହତ୍ୟା ବା ଆକସ୍ମିକ ଦୁର୍ଘଟଣା ପରି ମନେ ହେଉଛି ବୋଲି ପଞ୍ଜାବ ପୁଲିସ ଓ ଗୁଇନ୍ଦାସୂତ୍ର ଅନୁମାନ କରୁଛନ୍ତି। ଭଟିଣ୍ଡା ସାମରିକ କେନ୍ଦ୍ରର ‘ଆର୍ଟିଲେରି ୟୁନିଟ୍’ରେ ଗୁଳିକାଣ୍ଡ ଘଟିଛି ବୋଲି ପ୍ରଥମେ ସୂଚନା ମିଳିଥିଲା। ସେ ଅଞ୍ଚଳରେ କେତେକ ପରିବାର ମଧ୍ୟ ବାସ କରନ୍ତି ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଦୁଇ ଦିନ ତଳେ ସେ ୟୁନିଟ୍ର ଗାର୍ଡ ରୁମ୍ରୁ ଗୋଟାଏ ‘ଇନ୍ସାସ୍’ ଆସଲ୍ଟ୍ ରାଇଫଲ୍ ଗାଏବ ହୋଇଯାଇଥିଲା। ବଠିଣ୍ଡା କ୍ୟାଣ୍ଟନ୍ମେଣ୍ଟ୍ ବା ସାମରିକ କେନ୍ଦ୍ର ଭିତରକୁ ପୁଲିସକୁ ମଧ୍ୟ ଛଡ଼ା ଯାଉନାହିଁ।
ସୂଚନାଯୋଗ୍ୟା, ୧୫ ଜାନୁଆରୀ ୨୦୨୨ରେ ଜମ୍ମୁ-କଶ୍ମୀରର ପୁଂଛ ଜିଲ୍ଲାର ସୁରନକୋଟରେ ସେନା କ୍ୟାମ୍ପ ଭିତରେ ଗୁଳି ଚାଳନା ହୋଇଥିଲା । ଫଳରେ ୨ ଯବାନଙ୍କ ମୃତ୍ୟୁ ଘଟିଥିଲା । ସକାଳ ୫ଟା ୩୦ରେ ସେନା କ୍ୟାମ୍ପରେ ଗୁଳିକାଣ୍ଡ ହୋଇଥିଲା, ଯେତେବେଳେ ଜଣେ ଯବାନ ନିଜ ବ୍ୟାରେକର ଆଉ ୩ଜଣଙ୍କ ଉପରେ ଗୁଳି ଚଳାଇଥିଲେ । ପରେ ନିଜ ପେଟରେ ମଧ୍ୟ ଗୁଳି ଚଳାଇଥିଲେ । ସମସ୍ତ ଯବାନଙ୍କୁ ଉଧମପୁର ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୨ଜଣଙ୍କ ଚିକିତ୍ସା ଜାରି ରହିଥିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି । ସେନା ସୂତ୍ର ଅନୁସାରେ, ପୁଂଛର ସୁରନକୋଟସ୍ଥିତ ୧୫୬ ପ୍ରାଦେଶିକ ବାଟାଲିୟନରେ ଆଜି ସକାଳେ ଏହି ଘଟଣା ଘଟିଛି । ଗୁଳିଚାଳନା ସେହି ସମୟରେ ହୋଇଥିଲା ଯେତେବେଳେ ଇମ୍ରାନ ଅହମ୍ମଦ ଓ ଇମତିଆଜ ଅହମ୍ମଦଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା ।