ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଣଭୋଜି ବେଶ । ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଯେଉଡ଼ ଭୋଗ ପରେ ବୁଧବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ଗୁରୁବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବଣଭୋଜି ବେଶ ସହ କୋଳି ବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ଦୁଇ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଠ ସିଂହାସନରେ ବିଜେ କରାଇବେ । ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ । ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିବେ । ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବଣଭୋଜି ବେଶରେ ସଜ୍ଜିତ କରାଯିବ । ଶ୍ରୀଜିଉମାନଙ୍କ ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି ।
ବଣଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ ୧୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବଣଭୋଜି ବେଶ ଅନ୍ୟତମ । ଏହି ବେଶ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ନନ୍ଦୋତ୍ସବର ପରଦିନ ଅନୁଷ୍ଠିତ ହେଇଥାଏ । ଏହି ବେଶପୂର୍ବରୁ ମହାପ୍ରଭୁଙ୍କ କୋଳି ବିକା ନୀତି ସମ୍ପନ୍ନ ହେଇଥାଏ । ଏହା ସହ ଠାକୁରମାନେ ବକାସୁର ଓ ଅଘାସୁର ବଧ କରିଥାଆନ୍ତି । ଏହି ଉତ୍ସବର ସ୍ୱତନ୍ତ୍ର ନୀତି ମୁତାବକ ମଧ୍ୟାହ୍ନ ଧୂପ ବେଳେ ବଡ଼ ଠାକୁର ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରୁ ରାମକୃଷ୍ଣଙ୍କୁ ଆଣି ସିଂହାସନରେ ବିଜେ କରାଯାଇଥାଏ । ବିମାନ ବଡୁ ସେବକ ପାଲିଙ୍କିକୁ ନେଇ ବଡ଼ଛତା ମଠ ଆଖଡ଼ା ପାଖ କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହି ମଠ ସମ୍ମୁଖରେ ଜଣେ ଲୋକ ଶବରୁଣୀ ବେଶରେ ନଡି଼ଆ, କୋଳି ଧରି ଥାଏ । ଏଠାରୁ ଭିତରକୁ ମହାପାତ୍ରେ ଶବରୁଣୀଠାରୁ କୋଳିନେଇ ରୂପା ପିଙ୍ଗଣରେ ରଖି ମଣୋହି କରିଥାନ୍ତି । ରାକକୃଷ୍ଣ ପାଲିଙ୍କିରେ ବିଜେ ହେବାପରେ ସନ୍ଧ୍ୟାଧୂପରେ ପୁଷ୍ପାଳକମାନେ ବଣଭୋଜି ବେଶ କରିଥାନ୍ତି ।