ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହେବ।
ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସେପଟେ ଉତ୍ତରରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ ସବୁଠି ଲାଗିଲାଣି ଥଣ୍ଡା । ସକାଳୁ ମେଘୁଆ ପାଗ ରହୁଥିବା ବେଳେ ରାତିରେ ପାରଦ କମିଛିା ବିଶେଷ ଭାବେ କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଥଣ୍ଡା ଅଧିକ ଅନୁଭୂତ ହେଉଛିା ଶୀତ ଆସିବା ପରେ ଲୋକଙ୍କ ଦିନଚର୍ଯ୍ୟାରେ ବି ପରିବର୍ତ୍ତନ ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୫ ତାରିଖରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି କ୍ରମେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୬ ତାରିଖ ବେଳକୁ ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଏଥିସହ ୧୬ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଗଂଜାମ। ଏସବୁ ଜିଲ୍ଲାର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ ପାହାନ୍ତିଆରେ ମଧ୍ୟ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି।