ଓଡିଆ ନ୍ୟୁଜ (ବ୍ୟୁରୋ) : ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଚାଲାଣ ପାଇଁ ଆପଣାଉଛନ୍ତି ଅଭିନବ ଉପାୟ । ପୋଲିସ୍ ଆଖିରେ ଧୂଳି ଦେଇ ଚାଲିଛି ଗଞ୍ଜେଇ ଚାଲାଣ । ଆଜି ବୋଲବମ୍ ବେଶରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ଜଣ ଅଭିଯୁକ୍ତ । ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ବେଳେ ଗେରୁଆ ବସ୍ତ୍ର ପିନ୍ଧି ଗଞ୍ଜେଇ ଚାଲାଣ କରୁଥିଲେ ଦୁର୍ବୃତ୍ତ । ନବରଙ୍ଗପୁର ରାଇଘର ସୀମାନ୍ତ ଛତିଶଗଡ଼ର ସରାୟପାଲି ଠାରେ ଏକ ଗଞ୍ଜେଇ ବୋଝେଇ ବାଇକ ସହ ୨ଜଣ ଯୁବକଙ୍କୁ ଗିରିଫ କରିଛି ଛତିଶଗଡ଼ ପୋଲିସ।ସୂଚନା ଅନୁଯାୟୀ, ଓଡ଼ିଶା ସୀମାନ୍ତରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିବାରୁ ଛତିଶଗଡ଼ ମହାସମୁଦ ଜିଲ୍ଲା ପୁଲିସ ଅଧୀକ୍ଷକ ଧର୍ମେନ୍ଦ୍ର ସିଂଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ପୁଲିସ ଅଧୀକ୍ଷକ ଆକାଶ ରାଓ ଗିରେପୁଞ୍ଜ ଏବଂ ସରିପାଲି ଏସଡିପିଓ ଅଭିଷେକ କେଶରୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।
ଏହି କ୍ରମରେ ସରାୟପାଲି ଥାନା ଅଧିକାରୀ ଆଶିଷ ୱାସନିକ୍ ଗୋଟିଏ ଟିମ୍ ନେଇ ଓଡ଼ିଶାରୁ ସରିପାଲି ଅଭିମୁଖେ ଯାଉଥିବା ଗୋଟିଏ ନମ୍ବର ବିହୀନ ବାଇକକୁ ବୈତାରୀ ଛକ ନିକଟରେ ଅଟକାଇଥିଲେ । ବାଇକରେ ଦୁଇଜଣ ଯୁବକ କାଉଡିଆ ବେଶରେ ଦୁଇଟି ବଡ଼ ବ୍ୟାଗ୍ ଧରି ଯାତ୍ରା କରୁଥିଲେ । ଯାଞ୍ଚ ପରେ ବ୍ୟାଗରୁ ୩୧ କିଲୋ ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ୭୫ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଜବତ ଗଞ୍ଜେଇ ଓଡ଼ିଶାରୁ ଛତିଶଗଡ଼କୁ ଚାଲାଣ ହେଉଥିବା ବେଳେ ଏଥିରେ ସମ୍ପୃକ୍ତ ମଧ୍ୟପ୍ରଦେଶର ଅଭୟ ପଟେଲ ଏବଂ ଅମିତ ଶୁକ୍ଳାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।