ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଟି ଓଡ଼ିଆର ମଉଡମଣି କାଳିଆ ସାଆନ୍ତଙ୍କ ଆଜି ଗଜୋଦ୍ଧାରଣ ବେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଶରେ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ।
ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ। ଗରୁଡ଼ ଉପରେ ବସିବା ଭଙ୍ଗୀରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥାନ୍ତି । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥାନ୍ତି । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥାନ୍ତି । କୁମ୍ଭୀର ହାତୀକୁ ଆକ୍ରମଣ କରିଥିବ। ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ଥିବେ । ସେହିପରି ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିଜେ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ଧରି ଦଣ୍ଡାୟମାନ ଥିବେ। ଶ୍ରୀବିଗ୍ରହଙ୍କ ଏହି ବେଶ ବଡ଼ ମନଲୋଭା । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ଅଳଙ୍କାର ମାନ ଠାକୁରଙ୍କୁ ଲାଗି ହୋଇଥାଏ ।
ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ତେବେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷୀରି ଓ ଅମାଲୁ ଭୋଗ କରାଯିବ। ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ। ସେହି ସ୍ମୃତିରେ ଶହ ଶହ ବର୍ଷ ଧରି ଠାକୁରଙ୍କ ଏହି ଗଜୋଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି।