ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିକଟରେ ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଜି (ମଙ୍ଗଳବାର) ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ଭାରତୀୟ ନିର୍ବାଚନ କମିଶନର ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ।
ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ପ୍ରେସ୍ କନ୍ଫରେନ୍ସ ହେବ। ଏନେଇ ଇସିଆଇ ଖୋଦ୍ ଏକ ଚିଠି ଜାରି କରି କହିଛନ୍ତି। ସୂଚନା ଅନୁସାରେ ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶର ୧୦ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନରେ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ। ଏଥିସହ କେରଳର ଓ୍ୱାଇନାଡ଼ ସମେତ ୩ଟି ଲୋକସଭା ଆସନରେ ମଧ୍ୟ ଉପ-ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଇସିଆଇ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହେବାକୁ ଯାଉଛି।
ସେହିପରି ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜାନୁଆରୀ ୫, ୨୦୨୫ ରେ ଶେଷ ହେବ। ମହାରାଷ୍ଟ୍ର ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି,) ଶିବସେନା-ଏକନାଥ ସିନ୍ଦେ, ଏନସିପି-ଅଜିତ ପାୱାର, ମହା ବିକାଶ ଅଘଡି (ଏମ୍ଭିଏ) ,ଏନସିପି – ଶରଦ ପାୱାର ଏବଂ କଂଗ୍ରେସ ଆଦି ଦଳ ମଧ୍ୟର ଲଢ଼େଇ ହେବ। ୨୦୧୯ ନିର୍ବାଚନରେ ବିଜେପି ସହିତ ଶିବସେନା (ସେ ସମୟରେ ଶିବସେନା ଭାଗ ହୋଇନଥିଲା) ମିଳିତ ଭାବେ କ୍ଷମତାକୁ ଆସିଥିଲେ।