ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ କଳିଙ୍ଗସେନାର ପ୍ରାର୍ଥୀ ମହେନ୍ଦ୍ର ପଟ୍ଟନାୟକ । କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରିବା ସହିତ ଆଗାମୀ ଉପର୍ନିବାଚନରେ ଝାରସୁଗୁଡାବାସୀଙ୍କର ସେ ପ୍ରଥମ ପସନ୍ଦ ହେବେ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଝାରସୁଗୁଡା ପ୍ରତି କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ମହାନଦୀ କୂଳରେ ଥିଲେ ମଧ୍ୟ ଏଠାକାର ଲୋକେ ସ୍ୱଚ୍ଛ ପାନୀୟଜଳ ମୁନ୍ଦାଏ ପାଇପାରୁ ନାହାନ୍ତି। ସେହିଭଳି ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାରେ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଅଣଦେଖା କରାଯାଉଛି। ତେଣୁ ରାଜ୍ୟରେ ସର୍ବଦା ଯୁବଗୋଷ୍ଠି ଓ ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଉଥିବା କଳିଙ୍ଗସେନା ପ୍ରତି ଲୋକଙ୍କ ସମର୍ଥନ ଅଧିକ ରହିବ ବୋଲି ଶ୍ରୀ ପଟ୍ଟନାୟକ ଜୋର ଦେଇ କହିଛନ୍ତି। କଳିଙ୍ଗସେନା ଆଜି ତାହାର ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଦୁଇ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ବିଜେଡ଼ି ତାହାର ପ୍ରାର୍ଥୀ ଘୋଷଣା କରିଥିଲା। ସେପଟେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ବିଜେପି ଏଯାଏଁ ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
ଉପନିର୍ବାଚନରେ ବିଜେଡି ଦୀପାଳିଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଉଭୟ ଅନୁକମ୍ପା ଓ ମହିଳା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଛକାପଞ୍ଝା ଲାଗିରହିଛି। ବିଜେପି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନାଁ ସର୍ବାଗ୍ରେ ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଶ୍ରୀ ତ୍ରିପାଠୀ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିଲେ ସୁଦ୍ଧା ଗତ ବିଧାନସଭା ନିର୍ବାଚନଠାରୁ ଝାରସୁଗୁଡ଼ା ଆସନରେ ଦଳୀୟ ପ୍ରାର୍ଥୀ ପାଇଁ ଦାବିଦାର ରହିଆସିଛନ୍ତି। ଏପରିକି ଗତ ନିର୍ବାଚନ ସମୟରେ ହୋଇଥିବା ଦଳୀୟ ସର୍ଭେରେ ବି ଶ୍ରୀ ତ୍ରିପାଠୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାବାଦ୍ ନବ ଦାସଙ୍କ ଦେହାନ୍ତ ପରଠାରୁ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ବ ନେଇଚାଲିଛନ୍ତି। ମାତ୍ର ଶ୍ରୀ ତ୍ରିପାଠୀ ଜିଲ୍ଲା ବିଜେପିର କୌଣସି ପଦପଦବିରେ ନଥିବା ବେଳେ ସେ ବାହାର ଜିଲ୍ଲାର ହୋଇଥିବାରୁ ଜିଲ୍ଲା ବିଜେପିର କିଛି ପୁରୁଖା ନେତା ତାଙ୍କୁ ବିରୋଧ କରିଆସୁଛନ୍ତି। ଏପରିକି କିଛି ନେତା ଗତ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଚିଠି ଲେଖି ଅସନ୍ତୋଷ ଜାହିର କରିଥିବା ଘଟଣା ବି ସାମ୍ନାକୁ ଆସିଥିଲା। ଦ୍ବିତୀୟରେ ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିବା ଦିନେଶ ଜୈନଙ୍କ ନାଁ ବି ଚର୍ଚ୍ଚାକୁ ଆସୁଛି। ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ଅଧିକ ୧୭ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଚଳିତ ନିର୍ବାଚନରେ ବି ତାଙ୍କୁ ଟିକଟ ମିଳିପାରେ ବୋଲି କୁହାଯାଉଛି
ସୂଚନାଯୋଗ୍ୟ, ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।