ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍ରେ ଗତକାଲିଠାରୁ ଚିକିତ୍ସାଧୀନ ଅଛନ୍ତି। ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କୁ ମାଇଲ୍ଡ ବ୍ରେନ୍ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଛି ।
ଗତ 31 ତାରିଖ ରାତିରେ ବି ତାଙ୍କର ଷ୍ଟ୍ରୋକ୍ ହୋଇଥଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍ ଟିମ୍ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି ଓ ଅତ୍ୟନ୍ତ ଭଲ ସେବା ପ୍ରଦାନ କରାଯାଉଛି। ଆମେ ସବୁଠୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ଚେଷ୍ଟା କରୁଛୁ ବୋଲି ହସ୍ପିଟାଲ୍ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ମହେଶ୍ବର ମହାନ୍ତିଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ଅନେକ ବିଜେଡି ନେତା । ଅମର ପ୍ରସାଦ ଶତପଥୀ, ଉମା ସାମନ୍ତ ରାୟ, ରୁଦ୍ର ମହାରଥୀ ଭଳି ପ୍ରମୁଖ ନେତା ହସ୍ପିଟାଲରେ ଉପସ୍ଥିତ ହୋଇଥିବା ସୂଚନା ରହିଛି। ଗତ 1995 ମସିହାରୁ ଲଗାତାର ଭାବେ ମହେଶ୍ବର ମହାନ୍ତି ପୁରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ ।
ଗତ 2019 ବିଧାନସଭା ନିର୍ବାଚନରେ ସେ ବିଜେପିଠାରୁ ପରାସ୍ତ ହୋଇଥିଲେ । ପ୍ରଥମେ ସେ ଜନତା ଦଳରୁ ଲଢ଼ି ବିଧାୟକ ହୋଇଥିଲେ । ପରେ ସେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ 2019 ନିର୍ବାଚନରେ ସେ ବିଜେପିଠାରୁ ପରାସ୍ତ ହେଇଥିଲେ। ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଛନ୍ତି ।