ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରାଙ୍କୁ ‘କ୍ୟାଶ ଫର୍ କ୍ୟୁରି’ ଅଭିଯୋଗରେ ଲୋକସଭାରୁ ବହିଷ୍କାର ହେବା ପରେ ଆଗାମୀ ଦିନରେ ଦଳ ଏହାକୁ ପଶ୍ଚିମବଙ୍ଗରେ ଗୋଟିଏ ମୁଦ୍ଦା କରି ମହିଳା ଭିକ୍ଟିମ୍ କାର୍ଡ ଖେଳିବା ଆଶଙ୍କା କରାଯାଉଛି। ଏହାରି ଭିତରେ କେନ୍ଦ୍ର ସରକାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲିଙ୍ଗଗତ ଭେଦଭାବ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସଭ୍ୟପଦ ହରାଇବା ପରେ ମହୁଆ କହିଛନ୍ତି, ମୋତେ ଝୁକାଇବା ପାଇଁ ଏଥିକ୍ସ କମିଟି ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଛି । ପ୍ରଥମରୁ ମହୁଆଙ୍କୁ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ବାଚସ୍ପତି ଓମ୍ ବିର୍ଲା ଅନୁମତି ଦେଇ ନଥିଲେ ।ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲିଙ୍ଗଗତ ଭେଦଭାବ ଅଭିଯୋଗକୁ ଖଣ୍ଡନ କରିଛନ୍ତି, ସମାନ ଅପରାଧ ପାଇଁ ସାଂସଦଙ୍କୁ ବହିଷ୍କାର କରାଯାଇଥିବା ଅତୀତର ଉଦାହରଣ ଦେଇଛନ୍ତି। ଏହା ମହିଳାଙ୍କ ପାଇଁ କୌଣସି ସମସ୍ୟା ନୁହେଁ। ସେ ନିଜେ (ହୀରାନନ୍ଦନୀଙ୍କଠାରୁ) ଉପହାର ଗ୍ରହଣ କରିଥିବା ସ୍ୱୀକାର କରିଥିଲେ। ଏବେ ଆଉ କ’ଣ ପ୍ରମାଣ ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି।
ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଯୋଶୀଙ୍କ ଭାବନାକୁ ଦୋହରାଇ କହିଛନ୍ତି ଯେ ସଦାଚାର କମିଟି ଆଗରେ ମୈତ୍ରା ନିଜକୁ ରକ୍ଷା କରିବାର ସୁଯୋଗ ପାଇଛନ୍ତି। ସେ କହିଛନ୍ତି,’ଯଦି ସେ କୌଣସି ଉତ୍ତର ଦେବାକୁ ଚାହୁଁଥିଲେ, ତେବେ କମିଟି ଆଗରେ ଦେବା ଉଚିତ୍ ଥିଲା।
ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସଂସଦର ବିଶ୍ୱସନୀୟତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଂସଦରେ ଅନିୟମିତତାର ଚେହେରା ପାଲଟିଥିଲେ ମହୁଆ। ସଂସଦର ଅଖଣ୍ଡତା ଫେରାଇ ଆଣିବା ପାଇଁ ତାଙ୍କର ବହିଷ୍କାର ଜରୁରୀ ଥିଲା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହୁଆଙ୍କ ପ୍ରତି ସମର୍ଥନ ଉପରେ ପ୍ରଶ୍ନ ଉଠାଇଛନ୍ତି।
ବାଚସ୍ପତି କହିଥିଲେ ଯେ ତାଙ୍କୁ ଯାହା କିଛି କହିବାର ଥିଲା; କମିଟି ଆଗରେ କହି ପାରିଥାନ୍ତେ । ଏବେ ତାଙ୍କର ସ୍ପଷ୍ଟୀକରଣ ଅନାବଶ୍ୟକ । ତାଙ୍କୁ ଜେଲ ପଠାଇବା ପାଇଁ ଉଦ୍ୟମ ଚାଲିଛି ବୋଲି ମହୁଆ ଅଭିଯୋଗ କରିଛନ୍ତି ।