ନାମାଙ୍କନ ଦାଖଲ କଲେ ମମତା ମହାନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ । ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ମମତାଙ୍କ ନାଁ ଦେଇଛି ବିଜେପି । ଏହାପରେ ଆଜି ବିଧିବଦ୍ଧ ଭାବେ ବିଧାନସଭା ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ବିଭିନ୍ନ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ମମତା ।

ସୂଚନା ମୁତାବକ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ଗତକାଲି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି। ଆଜି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚି ଦଳ ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂ ତୋମାରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ। ମମତା ମହାନ୍ତ ମୟୁରଭଞ୍ଜ କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ ମସିହା ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା ।

ମାତ୍ର ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ । ଯେଉଁଥିରେ ବିଜେଡିକୁ ଶକ୍ତ ଆଘାତ ଲାଗିଥିଲା । କାରଣ ବିଜେଡି ଏଥର ନିର୍ବାଚନ ହାରିଥିବା ବେଳେ ରାଜ୍ୟସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ହିଁ ଥିଲା ବଳ । ହେଲେ ମମତା ମହନ୍ତଙ୍କ ଇସ୍ତଫା ପରେ ତାହା ୯ ରୁ ୮କୁ ଖସିଥିଲା । ଏଥିସହ ୯ ରାଜ୍ୟର ୧୨ଟି ଆସନ ଖାଲି ପଡିଥିବାରୁ ସେହି ଆସନ ପାଇଁ ସେପ୍ଟେମ୍ବର ୩ରେ ଉପନିର୍ବାଚନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଯାହାକୁ ନେଇ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ମମତା ମହନ୍ତ ।

Leave A Reply

Your email address will not be published.