କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ବର୍ବରତାର ସବୁ ସୀମା ଟପିଲା ନର ରୂପୀ ରାକ୍ଷସ। ବଡ଼ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଲା ସାନଭାଇ। ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ସାହୁ। ଜମିବାଡି ବିବାଦକୁ ନେଇ ରାତିରେ ବଡ ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ରଶ୍ମୀ ରେଖା, ଦୁଇ ପୁଅ ଏବଂ ଜଣେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଶିବ। ହତ୍ୟା ପରେ ଅଭିଯୁକ୍ତ ଶିବ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଶିବ ତାଙ୍କର ବଡ଼ଭାଇ ଅଲେଖ ସାହୁ, ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ଭିତରେ ୨ ଜଣ ନାବାଳକ ଥିବା ଜଣାପଡିଛି। ଆତ୍ମସମର୍ପଣ କରିବାକୁ ଯିବା ପୂର୍ବରୁ ଏକ ଭିଡିଓ ଜରିଆରେ ଏକଥାକୁ ସ୍ବୀକାର କରିବା ସହ କହିଛନ୍ତି, ବଡ଼ଭାଇ ଓ ତାଙ୍କ ପରିବାର ତାଙ୍କୁ ଗତକାଲି ପିଟିଥିଲେ। ଏଥିରେ ମୁଁ ନିଜର ମାନସିକ ଭାରସାମ୍ୟ ହରାଇ ବଡ଼ଭାଇ ପରିବାରର ୫ ଜଣଙ୍କୁ ଜୀବନରୁ ମାରିଦେଇଛି। ବଡ଼ଭାଇ, ଭାଉଜ, ଗୋଟିଏ ଝିଆରୀ ଓ ଦୁଇ ପୁତୁରାଙ୍କୁ ହତ୍ୟା କରିଛି। ବଡ଼ଭାଇ ପୈତୃକ ସମ୍ପତ୍ତି ଦେଲା ନାହିଁ, ମାନସିକ ନିର୍ଯାତନାର ଶିକାର ହେବା ସହିତ ଭଡ଼ାଘରେ ରହୁଥିଲି। ଶେଷରେ ସମସ୍ତଙ୍କୁ ମାରିଦେଇଛି। ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଛି। ଆଇନ ଯାହା ଦଣ୍ଡ ଦେବ, ତାହାକୁ ଗ୍ରହଣ କରିବି।
ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ୍ ଓ ସାଲେପୁର ଏସଡିପିଓ ପହଁଚି ତଦନ୍ତ ଚଳାଇନ୍ତି।ଖାଲି ଜମିବାଡି ବିବାଦକୁ ନେଇ ହତ୍ୟା କରିଛନ୍ତି ନା ଏଥିରେ ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ।