ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲରେ ପୁଣି ଏକ ନୂଆ ମୋଡ଼ ଆସିଛି। ପ୍ରାୟ ୪ ଘଣ୍ଟାର ତନାଘନା ପରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ସିଲ୍ କରିଛି। ପ୍ରାୟ ଅଢେଇ ଘଣ୍ଟାର ତନାଘନା ପରେ ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି। ଆଶ୍ରମରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି। କାଠଫାଳିଆକୁ ଫରେନସିକ୍ ଟେଷ୍ଟ କରାଯିବ ବୋଲି କ୍ରାଇବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏହାସହ କିଛି ଫିଙ୍ଗରପ୍ରିଣ୍ଟ ଓ ଫୁଟେଜ ସଂଗ୍ରହ କରାଯାଇଛି।ଏହା ସହ ଏକ ହାର୍ଡ ଡିସ୍କ ମଧ୍ୟ ଜବତ କରିଛି। ଆଜି ସକାଳେ କେୟାରଟେକରଙ୍କୁ ସାଙ୍ଗରେ ନେଇ କ୍ରାଇମବ୍ରାଞ୍ଚ ଟିମ୍ ଦୟାଲ ଆଶ୍ରମରେ ପହଞ୍ଚିଥିଲା। ଫୋରେନସିକ୍ ଟିମ୍, ଡାକ୍ତରୀ ଦଳ ଓ ଏକ୍ସପର୍ଟ ଟିମ୍ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ।
ସେପଟେ ଫେରାର ଥିବା ଶର୍ମିଷ୍ଠାଙ୍କ କାର୍କୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍। ସ୍କାଏ ଟାୱାରରେ ଥିବା ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସ ପରିସରରୁ କାରକୁ ଜବତ କରାଯାଇଥିଲା। ଏହି କାର୍ରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯାଇଥିଲା। ହତ୍ୟା ପରେ ତାଙ୍କୁ ନୟାଗଡ଼ର ଏକ ନିକାଞ୍ଚଳ ଜାଗାରେ ପୋତି ଦିଆଯାଇଥିଲା। ଏହି ଘଟଣାରେ ନିରଞ୍ଜନ ସେଠୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।