ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ହିଂସାକୁ ନେଇ ଏବେ ସାରା ଦେଶ ଉଠୁଛି ପଡ଼ୁଛି । ଏହାରି ଭିତରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ମଣିପୁର ହିଂସା ମାମଲାର ଶୁଣାଣି ଚାଲିଥିବା ବେଳେ ଆଇନଜୀବୀ ବାଂଶୁରୀ ସ୍ବରାଜ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ଘଟଣା ଦର୍ଶାଇବାରୁ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଥିଲେ, ଆମେ ମଣିପୁରରେ ହୋଇଥିବା ଜଘନ୍ୟ ହିଂସାର ବିଚାର କରୁଛୁ।
ଅନ୍ୟ ରାଜ୍ୟରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧ ହେଉଛି ବୋଲି କହି ମଣିପୁରରେ ମହିଳାଙ୍କ ବିରୋଧରେ ହୋଇଥିବା ହିଂସାକୁ ଯଥାର୍ଥ ଦର୍ଶାଯାଇ ପାରିବ ନାହିଁ। ସାରା ଦେଶର ଝିଅମାନଙ୍କୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ କହିଥିଲେ। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ବିରକ୍ତି ପ୍ରକାଶ କରି କହିଥିଲେ ଯେ ଅନ୍ୟ ସ୍ଥାନରେ ଏଭଳି ଘଟଣା ଘଟିଥିବାରୁ ମଣିପୁର ଘଟଣା ଯଥାର୍ଥ ବୋଲି ଆମେ କହିପାରିବା ନାହିଁ।