ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ବଡ଼ ଧରଣର ଭୂମିକଂପ । ମଧ୍ୟରାତ୍ରରେ ଆସିଥିବା ଭୂକଂପରେ ୭୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଏବେ ସୁଦ୍ଧା ୧୨୮ ଜଣଙ୍କ ମୃତ୍ୟୁ ହୋଇଛି । ବହୁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । ଭୂମିକମ୍ପ ଯୋଗୁଁ ଅନ୍ୟୂନ ୧୨୮ଜଣଙ୍କର ମୃତ୍ୟୁ ଘଟିଥିବା ଓ ୧୪୦ରୁ ଅଧିକ ଲୋକ ହୋଇଥିବା ରାଷ୍ଟ୍ରାୟତ ନେପାଳ ଟେଲିଭିଜନ୍ ରିପୋର୍ଟ କରିଛି।
ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଅନ୍ଧାର ରାତିରେ ସ୍ଥାନୀୟ ଜନସାଧାରଣ କୋଠାବାଡ଼ିର ଭଗ୍ନସ୍ତୂପ ଭିତରେ ପୋତି ହୋଇ ପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରୁଥିବା କଥା ମଧ୍ୟ ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି।
‘ନ୍ୟାସ୍ନାଲ୍ ଆର୍ଥକ୍ବେକ୍ ମେଜର୍ମେଣ୍ଟ୍ ସେଣ୍ଟର୍’ର ଅଧିକାରୀମାନେ କହିବା ଅନୁସାରେ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଜାଜରକୋଟ୍ ଜିଲ୍ଲା ଅନ୍ତର୍ଗତ ଲାମିଡାଣ୍ଡା ଅଞ୍ଚଳ। ଗତରାତି ୧୧.୩୨ରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା।