ଶିଶୁମାନଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ ସହଜ: ଓଡ଼ିଶା ସରକାର ଓ ଆସ୍ତର ହସ୍ପିଟାଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଶିଶୁମାନଙ୍କ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଜି ବେଙ୍ଗାଲୁରୁର ଆସ୍ତର ସିଏମ୍‌ଆଇ ହସ୍ପିଟାଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଆସ୍ତର ସିଏମ୍‌ଆଇ ହସ୍ପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିତିଶ ସେଟ୍ଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ସୁବିଧା ପ୍ରଧମ ଥର କରି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଉପଲବ୍ଧ ହେବ । ଏଠାରେ ଆସ୍ତର ହସ୍ପିଟାଲ ଡାକ୍ତରମାନେ ଯକୃତ ରୋଗରେ ପୀଡ଼ିତ ଶିଶୁମାନଙ୍କର ପରୀକ୍ଷାନିରୀକ୍ଷା କରିବା ପରେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବେ ।

ଏହା ସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ, ପାରାମେଡିକ୍ସମାନଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ସଂପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ରାଜ୍ୟରେ ସୁପରସ୍ପେସିଆଲିଟି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲଖଣ୍ଟ ସ୍ଥାପନ ହୋଇଛି । ଏହା ଦ୍ୱାରା ପ୍ରକୃତ ରୋଗୀଟି ବିନାମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସାସୁବିଧା ପାଇପାରିବ । ଏଥି ପାଇଁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀ ଦିନରେ ବୟସ୍କମାନଙ୍କୁ ମଧ୍ୟ ଲିଭର ଟ୍ରାନ୍ସପ୍ଲାଣ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।ଏହି ଅବସରରେ ଅତିରିକ୍ତ ଡିଏମ୍‌ଇଟି ଡା. ଉମାକାନ୍ତ ଶତପଥୀ, ଆସ୍ତର ସିଇଓ ରମେଶ କୁମାର ଏସ୍‌, ଡା. ସୋନାଲ ଆସ୍ଥାନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.