ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାତିରେ ଖସୁଛି ପାରଦ। ଆଉ ଦିନରେ ଶୀତ । ବର୍ତ୍ତମାନ ରାଜ୍ୟରେ ଧୀରେ ଧୀରେ ରାତି ତାପମାତ୍ରା ଖସୁଛି । ପାରଦ କ୍ରମଶଃ ତଳ ମୁହାଁ ହେଉଛି । ତେବେ ୧୩ଦିନ ତଳେ ରାଜ୍ୟରୁ ମୌସୁମୀ ବିଦାୟ ନେଇଛି । ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ୧୯ ଡିଗ୍ରି ତଳକୁ ଖସିଥିବା ଦେଖିବାକୁ ମିଳିଥିଲା।
କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଦାରିଙ୍ଗବାଡ଼ିରେ ୧୬ ଡିଗ୍ରି, ଫୁଲବାଣୀରେ ୧୬.୫ ଡିଗ୍ରି, ନବରଙ୍ଗପୁରରେ ୧୭.୪ ଡିଗ୍ରି, ସୁନ୍ଦରଗଡ଼ରେ ୧୮ ଡିଗ୍ରି, ରାଉରକେଲାରେ ୧୮.୨ ଡିଗ୍ରି, ଅନୁଗୁଳରେ ୧୮.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୧୮.୮ ଡିଗ୍ରି ସର୍ବନିମ୍ନ ରାତି ତାପମାତ୍ରା ଅନୁଭୂତ ହୋଇଛି। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଉଭୟ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଶିଂକ ମେଘୁଆ ରହିବ।
ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ। ଡ. ସାହୁ ପୂର୍ବାନୁମାନ କରି କହିଛନ୍ତି, ୧ ଓ ୨ ତାରିଖରେ ରାଜ୍ୟରେ ବର୍ଷା ରହିବ । ବଙ୍ଗୋପସାଗରର ପୂର୍ବ ଭାଗରୁ ପବନ ବହିବ । ଫଳରେ ଜଳୀୟବାଷ୍ପ ରହିବ । ଏହା ହାଲୁକା ବର୍ଷା କରାଇବ । ଉତ୍ତର ଓ ଉପକୂଳ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ୫ ଓ ୬ରୁ ରାଜ୍ୟରେ ଶୀତ ବଢିବ ବୋଲି ସେ କହିଛନ୍ତି ।