ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପିଛା ଛାଡ଼ୁନି ବର୍ଷା। ରାଜ୍ୟରେ ହନ୍ତସନ୍ତ କରୁଛି କାଳବୈଶାଖୀଜନିତ ବର୍ଷା । ସକାଳୁ ଖରା ଗୁଳୁଗୁଳିରେ ଅନୁଭୁତ ହେଉଥିବା ବେଳେ ଅପରାହ୍ନ ହେବା ମାତ୍ରେ ଆକାଶରେ ଘୋଟିଆସୁଛି କଳାହାଣ୍ଡିଆ ମେଘ । କେଉଁଠି ବିଜୁଳି ଘଡଘଡି ସହ ବର୍ଷା ହେଉଛି ତ କେଉଁଠି ଝଡପବନ ଜନ ଜୀବନ ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।
୭ ତାରିଖ ଦିନ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବା ନେଇ ଆକଳନ କରାଯାଇଛି । ଏଥିପାଇଁ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ସଂଲଗ୍ନ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡରେ ବଜ୍ରପାତ ଜନିତ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି ।
ସେପଟେ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନରେ ତାପମାତ୍ରା ବଢିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।